ସୁନ୍ଦରଗଡ଼ରେ ବାଟବଣା ହୋଇଛି ବିକାଶ: ପୋଖରୀ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ

ସୁନ୍ଦରଗଡ଼: ବିକାଶ ଯେଉଁଠି ବାଟବଣା । ଆଜି ବି ବିକାଶର ଦିଗ ଖୋଜୁଛନ୍ତି ଉପାନ୍ତବାସୀ । ପୋଖରୀ ପାଣି ପିଇ ମେଣ୍ଟାଉଛନ୍ତି ଶୋଷ । ଆମେ କହୁଛୁ ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକର କନ୍ଦାଧୁଆ ଗାଁ କଥା । ଏଠାରେ ୫୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ଏହି ଗାଁକୁ ରାସ୍ତା ଖଣ୍ଡିଏ ନାହିଁ । ଜଙ୍ଗଲ ମଧ୍ୟ ଦେଇ ମାଟି ରାସ୍ତାରେ ଗାଁକୁ ଯିବା ବେଳେ ପଡେ ଏକ ନାଳ । ଏବେ ନାଳରେ ପାଣି ନାହିଁ ତଥାପି ଏହାକୁ ପାରି ହେବା କେତେ ମୁସ୍କିଲ ତାହା ଏ ଚିତ୍ର ଦେଖି ଜାଣିପାରୁଥିବେ । ଖାଲି ଏତିକି ନୁହେଁ କେବଳ ବିଜୁଳି ଛାଡି ଦେଲେ ଗାଁରେ କୌଣସି ମୌଳିକ ସୁବିଧା ନାହିଁ । ସରକାରୀ ଯୋଜନା କହିଲେ ସ୍କୁଲଟିଏ ଥିଲା କିନ୍ତୁ ତାହା ମଧ୍ୟ ବନ୍ଦ ହୋଇପଡିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଆଦି ସମସ୍ତ ମୌଳିକ ସୁବିଧା ଏଠି ଅପହଞ୍ଚ ବୋଲି କହିଛନ୍ତି ଗ୍ରାମବାସୀ ।

ବିଡମ୍ବନା ହେଉଛି ଏହି ଗାଁର ଚାରିପଟେ ରହିଛି କୋଇଲା ଖଣି । କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ ହେଉଛି ଏହି ଜିଲ୍ଲାରୁ । ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର କୋଟି କୋଟି ଟଙ୍କା ରହିଛି । ହେଲେ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ଗାଁ । ଗାଁ ପାଇଁ ଦୁଃଖ ସାଜିଛି ଗାଁ ମୁଣ୍ଡରେ ବହି ଯାଉଥିବା ନାଳ । ବର୍ଷା ହେଲେ ଜଳବନ୍ଦୀ ହୋଇଯାଏ ସମ୍ପୁର୍ଣ୍ଣ ଗାଁ । ଏପରିକି ପିଲା ମାନଙ୍କ ପାଠ ପଢାରେ ମଧ୍ୟ ଡୋରି ପଡିଯାଏ । ଏ ସମ୍ପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଗାଁରେ ସମସ୍ୟା ଅଛି। ସମସ୍ତ ବିଭାଗ ସମନ୍ୱୟରେ ଗାଁର ବିକାଶ କରାଯିବ । କନ୍ଦାଧୁଆ ଗାଁର କେବେ ବିକାଶ ହେଉଛି । ଲୋକେ ସମସ୍ତ ସୁବିଧା ସୁଯୋଗ ପାଇପାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ନଜର ପକାନ୍ତୁ