ଫେବୃଆରୀ ଆରମ୍ଭରୁ ଅସମ୍ଭାଳ ତାତି, ଆଗକୁ ବର୍ଷିବ ନିଆଁ

ନନ୍ଦିଘୋଷ ବ୍ୟୁରୋ: ମାଘ ଆରମ୍ଭରୁ ତାତି କଲାଣି ନୟାନ୍ତ । ସକାଳ ୭ଟା ପର୍ଯ୍ୟନ୍ତ କୁହୁଡିର ଆସ୍ତରଣ ପରେ ସୂର୍ଯ୍ୟଙ୍କ ପ୍ରଖର କୀରଣ କଲାଣି ଅସ୍ତବ୍ୟସ୍ତ । ରାଜ୍ୟର ୧୦ ସହରରେ ତାତି ୩୫ ଡିଗ୍ରି ସେଲସିୟସ୍‌ ଟପିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିଛି। ଆଇଏମଡିର ଆକଳନ ଅନୁସାରେ ଫେବୃଆରୀ ମାସରେ ଓଡିଶାର ତାତି ସ୍ବାଭାବିକ ଠାରୁ ଅଧିକ ରହିବ । ସେପଟେ ଫେବୃଆରୀ ପ୍ରଥମ ସପ୍ତାହରେ ରାଜଧାନୀର ତାତି ୨୧ ବର୍ଷର ରେକର୍ଡ ଭାଙ୍ଗିଛି । ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ୍ କିରଣ ପାଇଁ ଟାଇଁ ଟାଇଁ ଖରା ଅନୁଭୁତ ହେଉଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତାପମାତ୍ରା ବୃଦ୍ଧି ସହ କାଲି ପର୍ଯ୍ୟନ୍ତ ଘନ କୁହୁଡି ଅନୁଭୁତ ହେବ । ଆଜି କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ଘନ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି ।ଏନେଇ ଏହି ସମସ୍ତ ଜିଲ୍ଲାରେ ଭୋରରୁ ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।