ପଦାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ପ୍ରକୃତ ସତ, ବିଳମ୍ବ ହେତୁ ଲୋକେ ହଟହଟା
![](https://nandighoshatv.com/wp-content/uploads/2025/02/ଅଭିଯୋଗ-ଶୁଣାଣିର-ସତ-ମିଛ-1024x576.jpg)
ଭୁବନେଶ୍ବର: ପଦାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ପ୍ରକୃତ ସତ । ୮୧ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି ବୋଲି କାର୍ଯ୍ୟାଳୟ ଦର୍ଶାଉଛି । ହେଲେ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି ଏହାକୁ ଭୁଲ୍ ପ୍ରତିପାଦିତ କରୁଛି । ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଅଭିଯୋଗ ଶୁଣାଣି ନେଇ ପ୍ରଶ୍ନ ଉଠାଇଛନ୍ତି
ଗତ ଆଠ ମାସରେ ମାତ୍ର ଆଠ ଥର ହିଁ ବସିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଗତ ୭ ଥରରେ ଗ୍ରହଣ କରାଯାଇଥିବା ଅଭିଯୋଗ ପତ୍ର ମଧ୍ୟରୁ ୮୧ ପ୍ରତିଶତ ମାମଲାର ସମାଧାନ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହସ୍ଫୋଟ ମାରୁଛି । ବାସ୍ତବ ଚିତ୍ରକୁ ପଦାରେ ପକାଇଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ବାରମ୍ବାର ଦୌଡ଼ି ସୁଦ୍ଧା ଲୋକଙ୍କୁ ନ୍ୟାୟ ମିଳୁନି । ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲେଖିଥିବା ଏହି ଚିଠି ଅଭିଯୋଗ ଶୁଣାଣିର ଅବ୍ୟବସ୍ଥାକୁ ସ୍ପଷ୍ଟ କରି ଦେଇଛି ।
ଚିଠିରେ ଲେଖାଯାଇଛି, ଅଭିଯୋଗ ଗୁଡ଼ିକର ସ୍ଥିତି ସମୀକ୍ଷା କରିବା ସମୟରେ ଏହା ପରିଲକ୍ଷିତ ହୋଇଛି ଯେ ଅନେକ ଅଭିଯୋଗ ଦୀର୍ଘ ଦିନ ଧରି ବିଭିନ୍ନ ସ୍ତରରେ ତ୍ବରିତ ପଦକ୍ଷେପ ନେବାରେ ବିଳମ୍ବିତ ହେଉଛି । ଫଳରେ ଅଭିଯୋଗକାରୀ ସମାନ ଅଭିଯୋଗ ନେଇ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ସମାଧାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବି ଚିଠିରେ ଉଲ୍ଲେଖ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଅସଲ ଚିତ୍ର ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କେବଳ ଶୁଣାଣି କଲେ ହେବନି, ସମସ୍ୟାର ସମାଧାନ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି । କଂଗ୍ରେସ ଅଭିଯୋଗ କରିଛି, ପ୍ରଶାସନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହୁ ନଥିବାରୁ ଏହି ସମସ୍ଯା ଉପୁଜୁଛି ।
ସମସ୍ୟା ସମାଧାନରେ ଅବ୍ୟବସ୍ଥାକୁ ପଞ୍ଚାୟତିରାଜ ମନ୍ତ୍ରୀ ପରୋକ୍ଷରେ ସ୍ବୀକାର କରିଛନ୍ତି । ବ୍ୟବସ୍ଥିତ ଢାଞ୍ଚା ପାଇଁ ଆହୁରି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ସେ ସଫେଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଅଭିଯୋଗ ଶୁଣୁଛନ୍ତି । ଏ କଥାକୁ ବିଶ୍ବାସ କରି ସମସ୍ତେ ଧାଉଁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ । ହେଲେ ଏହାକୁ ରାଜନୈତିକ ମଞ୍ଚ ଭାବେ ସଜାଯାଉଥିବା ଅଭିଯୋଗ ହେଉଛି ।