ଖଣ୍ଡଗିରି ମେଳାରେ ଠେଙ୍ଗା ବିବାଦ: ବିଜେପି ବିଧାୟକଙ୍କ ମନ୍ତବ୍ୟକୁ ବିରୋଧୀଙ୍କ କଡ଼ା ସମାଲୋଚନା, କଳାକାରଙ୍କ ଚିନ୍ତା

ଭୁବନେଶ୍ବର:  ବିଜେପି ବିଧାୟକ ବାବୁ ସିଂଙ୍କ ଠେଙ୍ଗା ବୟାନକୁ ନେଇ ତେଜିବାରେ ଲାଗିଛି ରାଜନୀତି । ବିରୋଧୀ ପ୍ରଶ୍ନ, ପୋଲିସ ପ୍ରଶାସନ ଆଇନ କାନୁନ ଏପରି ବିଜେପି ବିଧାୟକଙ୍କର ଭରସା ନାହିଁ କି ? ଆଇନକୁ ନିଜ ହାତକୁ ନେବା ପାଇଁ ବିଧାୟକଙ୍କୁ କ୍ଷମତା ଦେଲା କିଏ ? ଏହି ପ୍ରସଙ୍ଗରେ ବାବୁ ସିଂଙ୍କୁ ଉଭୟ ବିଜେଡି ଓ କଂଗ୍ରେସ ଭର୍ତ୍ସନା କରିଛନ୍ତି ।

ଖଣ୍ଡଗିରିରେ ବୁଲିବ ଠେଙ୍ଗା । ଅସ୍ମିତା ଆଳରେ ଆଇନ ନିଜ ହାତକୁ ନେବାକୁ ବିଧାୟକଙ୍କ ଆହ୍ଵାନ । ଅଶ୍ଲୀଳ ନୃତ୍ୟ ରୋକିବାକୁ ବ୍ୟବହାର କରାଯିବ ଠେଙ୍ଗା । ବିଜେପି ବିଧାୟକ ବାବୁ ସିଂଙ୍କ ଅଶ୍ଲୀଳ ନୃତ୍ୟକୁ ଠେଙ୍ଗା ପାହାର ବୟାନ ସୃଷ୍ଟି କରିଛି ବଡ଼ ବିବାଦ । ବିଧାୟକଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ବିଜେଡି ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ । ଏଠାରେ ଠେଙ୍ଗାର ସ୍ଥାନ ନାହିଁ । ଆଇନକୁ ସମ୍ମାନ ଦେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।

କଂଗ୍ରେସ ନେତା ୟାସିର ନଓ୍ବାଜ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ଡ୍ରାମା କରୁଛି ବିଜେପି । ପୋଲିସ ଉପରେ ଏକାମ୍ର ବିଧାୟକଙ୍କ ଭରସା ନାହିଁ କି ? ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ ମାର୍ଗଦର୍ଶିକା ଅଣାଯିବ ବୋଲି କହିଥିଲେ ସଂସ୍କୃତି ମନ୍ତ୍ରୀ । କୁଆଡ଼େ ଗଲା ସେ ମାର୍ଗଦର୍ଶିକା ?

ଯଦି ବିଧାୟକ ଠେଙ୍ଗା ତତ୍ତ୍ବ କଥା କହୁଛନ୍ତି, ତେବେ ଯେଉଁଠି ଦୁର୍ନୀତି ହେବ, ଭ୍ରଷ୍ଟାଚାର ହେବ, କଂଗ୍ରେସ ସେଠାରେ ଠେଙ୍ଗା ପାହାର ଦେବ । ଏଥିରେ ରାଜ୍ୟ ସରକାର ଓ ବିଧାୟକ ସହମତ ତ ବୋଲି ୱାସିର୍ ପ୍ରଶ୍ନ କରିଛନ୍ତି । ସେହିପରି ସମାଜସେବୀ ଅନୁରାଧା ଦାସ ବି କହିଛନ୍ତି, ବିଧାୟକ ଠେଙ୍ଗା ମାଡ଼ କଥା ଗ୍ରହଣୀୟ ନୁହେଁ । ଶାସକ ଦଳ କ’ଣ ଗୁଣ୍ଡାଗିରି କରିବାକୁ ଚାହୁଁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିରୋଧୀଙ୍କ ସମାଲୋଚନା ସତ୍ତ୍ଵେ ବିଧାୟକ ବାବୁ ସିଂ କିନ୍ତୁ ନିଜ ବୟାନରେ ରହିଛନ୍ତି ଅଟଳ । ସେ ଯୁକ୍ତି କରିଛନ୍ତି, ନଗ୍ନତାକୁ ମୁଁ ବିରୋଧ କରୁଛି । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳତାକୁ ବନ୍ଦ କରିବାକୁ ଆମେ ପ୍ରୟାସ କରୁଛୁ । ମାଆ ଭଉଣୀଙ୍କ ସମ୍ମାନ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯିବ । ଓଡ଼ିଶାର ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ପାଇଁ ଯାହା ଆବଶ୍ୟକ, ତାହା କରିବି ବୋଲି ଯୁକ୍ତି ବାଢିଛନ୍ତି ବାବୁ ସିଂ । ତାଙ୍କର  ଏପରି ବୟାନକୁ  ଯାତ୍ରା କଳାକାର ରାଣୀ ପ୍ରିୟଦର୍ଶିନୀ ସମାଲୋଚନା କରିଛନ୍ତି । ବିଧାୟକ ଠେଙ୍ଗା ଧମକ ମାଆ ଓ ଉଉଣୀଙ୍କ କିପରି ସୁରକ୍ଷା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ରାଣୀ ପ୍ରିୟଦର୍ଶିନୀ ।

ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଏବେ ଯାତ୍ରାର ଅଶ୍ଲୀଳ ନୃତ୍ୟ, ସେଥିରେ ପୁଣି ଠେଙ୍ଗା ଚର୍ଚ୍ଚା । ବିବାଦକୁ କେଉଁ ମୋଡ଼ ଦେବ, ତାହା ଦେଖିବାକୁ ବାକି ରହିଲା ।