ବିଦ୍ୟୁତ ଉତ୍ପାଦନ ଓ ଏହାର ସଂରକ୍ଷଣକୁ ନେଇ ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ
ନନ୍ଦିଘୋଷ ବ୍ୟୁରୋ: ଦେଶରେ ବିଦ୍ୟୁତ ଉତ୍ପାଦନ ଓ ଏହାର ସଂରକ୍ଷଣକୁ ନେଇ ସଂସଦରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ । ଏଥିସହିତ ଦେଶରେ ଅକ୍ଷୟ ଶକ୍ତିର ଉତ୍ପାଦନ କ୍ଷମତା ବୃଦ୍ଧି ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଜି ସଂସଦର ପ୍ରଶ୍ନକାଳ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଏହାର ଉତ୍ତରରେ କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ ସୂଚନା ଦେଇଛନ୍ତି ଯେ, ସାରା ଦେଶରେ କୋଇଲା, ଲିଗନାଇଟ, ଗ୍ୟାସ, ଡିଜେଲ ଓ ହାଇଡ୍ରୋ ପାୱାରରୁ ମୋଟ ୪ଲକ୍ଷ ୬୨ ହଜାର ୬୫ ମେଗା ୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ସେହିଭଳି ଅକ୍ଷୟ ଶକ୍ତିରୁ ୨୦୩୦ ସୁଦ୍ଧା ୫୦୦ ଗିଗା ୱାଟ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ଯ ରଖାଯାଇଛି । ସେମଧ୍ୟରୁ ୨୦୨୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ବିଭିନ୍ନ ସୂତ୍ରରୁ ୨୦୯.୪୪ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କରାଯାଉଛି । ଦେଶରେ ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ବିଦେଶୀ
ପୁଞ୍ଜିନିବେଶକୁ ମଧ୍ୟ ଅନୁମତି ଦିଆଯାଇଛି । ୨୦୨୫ ଜୁନ ୩୦ ସୁଦ୍ଧା କାର୍ଯ୍ୟକ୍ଷମ ପ୍ରକଳ୍ପ କ୍ଷେତ୍ରରେ ଆନ୍ତଃରାଜ୍ୟ ସୌର ଓ ପବନ ଶକ୍ତି କିଣା ବିକା ପାଇଁ ପରିବହନ ଦେୟ ଛାଡ କରାଯାଇଛି ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ବିଭିନ୍ନ ରାଜ୍ୟରେ ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ପ୍ରତିଷ୍ଠା କରାଯିବ । ଗ୍ରୀନ ଏନର୍ଜି କରିଡର ଯୋଜନାରେ ଅକ୍ଷୟ ଶକ୍ତି ପାଇଁ ଟ୍ରାନ୍ସମିଶନ ଲାଇନ ଓ ନୂଆ ସବଷ୍ଟେସନ ପ୍ରତିଷ୍ଠା କରିବାକୁ ଆର୍ଥିକ ସହାୟତା ଦିଆଯିବ ବୋଲି ସେ କହିଛନ୍ତି । ତେବେ ୱିଣ୍ଡ ଟର୍ବାଇନ, ସୋଲାର ପ୍ୟାନେଲ ଓ ଅନ୍ୟାନ୍ଯ ଅକ୍ଷୟ ଶକ୍ତି ଯନ୍ତ୍ରପାତି ଉତ୍ପାଦନ ପାଇଁ ଦେଶର ନିଜସ୍ବ ନିବେଶକାରୀଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇଦେବା ବାବଦରେ ସାଂସଦ ମାନସ ମଙ୍ଗରାଜ ଅତିରିକ୍ତ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ର ଶକ୍ତିମନ୍ତ୍ରୀ କହିଥିଲେ, ପ୍ରକଳ୍ପୱାରୀ କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତ ନେବେ । ଅକ୍ଷୟ ଶକ୍ତି ପାଇଁ ଷ୍ଟୋରେଜ କ୍ଷମତା ବୃଦ୍ଧି କରିବା ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସାଂସଦ ମାନସ ମଙ୍ଗରାଜ ଦ୍ବିତୀୟ ଅତିରିକ୍ତ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ୮ଟି ପମ୍ପ ଷ୍ଟୋରେଜରେ ୪୭୪୫ ମେଗାୱାଟ ବିଦ୍ୟୁତ ଷ୍ଟୋର କରାଯାଉଛି । ୭୯୧୭ ମେଗାଓ୍ବାଟ ବିଦ୍ୟୁତ ସଂରକ୍ଷଣ ପାଇଁ ନୂଆ ଷ୍ଟୋରେଜ ନିର୍ମାଣ ପ୍ରକଳ୍ପ କାମ ଜାରି ରହିଛି । ଏଥିସହିତ ବ୍ୟାଟେରୀ ଷ୍ଟୋରେଜ କାମ ଚାଲୁ ରହିଥିବା କେନ୍ଦ୍ର ଶକ୍ତିମନ୍ତ୍ରୀ କହିଛନ୍ତି ।