ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା: ତେଜିଲା ଦିଲ୍ଲୀ ରାଜନୀତି, କେଜ୍ରିଓ୍ବାଲଙ୍କ ଘର ଆଗରେ ବିକ୍ଷୋଭ
ଦିଲ୍ଲୀ: ପଞ୍ଜାବର ଅମୃତସରରେ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୁର୍ତ୍ତି ଭଙ୍ଗାଯିବା ଘଟଣାକୁ ନେଇ ଦିଲ୍ଲୀରେ ବିକ୍ଷୋଭ । ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଜୋରଦାର ପ୍ରଚାର ଚାଲିଥିବା ବେଳେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାକୁ ନେଇ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାରେ ଆପକୁ ଦାୟୀ କରି ଦିଲ୍ଲୀରେ କେଜ୍ରିୱାଲଙ୍କ ବାସଭବନ ଆଗରେ କଂଗ୍ରେସ ନେତା ଉଦିତ ରାଜଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଛି । ପୂର୍ବରୁ ଅମୃତସରର ଟାଉନ ହଲ ଇଲାକାରେ ଥିବା ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ତାତିଥିଲା ଶିରୋମଣି ଅକାଳୀ ଦଳ ବାଦଲ ଗୋଷ୍ଠୀ । ଦଳର ନେତା ରଞ୍ଜିତ ସିଂ ଖୁରାନା ଓ ଅନ୍ଯତମ ନେତା ରାଜିନ୍ଦର ସିଂ ଚଣ୍ଡୀ ପଞ୍ଜାବ ସରକାରଙ୍କୁ ଏହି ଘଟଣା ପାଇଁ ଦାୟୀ କରିଥିଲେ । ରାଜ୍ଯରେ ଆଇନଶୃଙ୍ଖଳା ଅବସ୍ଥାକୁ ନିୟନ୍ତ୍ରଣ କରିବାରେ ରାଜ୍ଯ ସରକାର ବିଫଳ ହୋଇଥିବା ଶିରୋମଣି ଅକାଳୀ ଦଳ ଅଭିଯୋଗ କରିଥିଲା । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ମୂଳରେ ଷଡ଼ଯନ୍ତ୍ର ନିହିତ ରହିଛି ବୋଲି ବିଭିନ୍ନ ମହଲ ଅଭିଯୋଗ କରୁଛନ୍ତି ।
ସେପଟେ ଆପ ବିଧାୟକ ଇସ୍ତଫା ଦେବା ଘଟଣା ଓ ଆଇନଶୃଙ୍ଖଳାକୁ ନେଇ କେଜ୍ରିଓ୍ବାଲ ବିଜେପିକୁ ଟାର୍ଗେଟ କରିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି, ବିଜେପିରେ ମିଶିବା ଲାଗି ଆପ୍ ନେତାଙ୍କୁ ବାଧ୍ୟ କରାଯାଉଛି । ଏପରିକି ନେତାମାନଙ୍କୁ ବିଭିନ୍ନ ଉପାୟରେ ଧମକ ଚମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ଜାତୀୟ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଆସନ୍ତା ୫ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେବ । କାଲି ପ୍ରଚାର ସରୁଥିବାରୁ ହାତରେ ମାତ୍ର ଗୋଟିଏ ଦିନ ରହିଛି । ତିନି ପ୍ରମୁଖ ରାଜେନୖତିକ ଦଳ ଆପ୍, ବିଜେପି ଓ କଂଗ୍ରେସ ଦିଲ୍ଲୀ ସିଂହାସନ ହାତେଇବାକୁ ଲାଗିପଡ଼ିଛନ୍ତି । ନିର୍ବାଚନ ସୁରଖୁରୁରେ ସାରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ନିର୍ବାଚନ ଅଧିକାରୀ କହିଛନ୍ତି ।