ଆସନ୍ତା ୫ତାରିଖରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ
ଭୁବନେଶ୍ବର : ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ । କମିଶନ ପାଖରେ ଦାବି ରଖିବ ଓଡ଼ିଶା । ମିଳିବ କି ସ୍ବତନ୍ତ୍ର ଅନୁଦାନ, ବଢିବ କି ରାଜକୋଷ । ବିଜେଡି କହିଲା, କମିଶନ ପାଖରେ ସଠିକ ଦାବି ରଖନ୍ତୁ ସରକାର । ଆସନ୍ତା ୫ ତାରିଖରୁ ଷୋଡ଼ଶ ଅର୍ଥ କମିଶନ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । କେଉଁ କେଉଁ ପ୍ରସଙ୍ଗ ଉଠାଇ କମିଶନଙ୍କ ଧ୍ଯାନ ଆକର୍ଷଣ କରିବ ଓଡ଼ିଶା । ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଆର୍ଥିକ ମେରୁଦଣ୍ଡ ଦୋହଲିଯାଉଛି । ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ନହେଲେ ସ୍ବତନ୍ତ୍ର ଅନୁଦାନ ଦେବା ପାଇଁ ବାରମ୍ବାର କେନ୍ଦ୍ର ପାଖରେ ଦାବି କରିଆସୁଛି ବିଜେଡି । ତେଣୁ ଷୋଡ଼ଶ ଅର୍ଥ କମିଶନ ପାଖରେ ରାଜ୍ୟ ସରକାର ଏହି ଦାବି ଉଠାଇବା ଦରକାର ବୋଲି ବିଜେଡି କହିଛି । କମିଶନଙ୍କ ଆସିବା ପୂର୍ବରୁ ରାଜ୍ୟ ସରକାର ବିରୋଧୀଙ୍କ ଠାରୁ ଗଠନମୂଳକ ପ୍ରସ୍ତାବ ନେଇଥିଲେ ଭଲ ହୋଇଥାନ୍ତା ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । ଅନ୍ୟପଟେ କଂଗ୍ରେସ କହଛି ଡବଲ ଇଂଜିନ ସରକାର କମିଶନଙ୍କ ପାଖରେ କେଉଁ ଦାବି ରଖିବେ ତାହା ଉପରେ ଓଡ଼ିଶାବାସୀଙ୍କ ନଜର ରହିଛି । ବିହାର ଓ ଆନ୍ଧ୍ର ପ୍ରଦେଶ ପରି ଓଡ଼ିଶା କେନ୍ଦ୍ର ସରକାର ସ୍ବତନ୍ତ୍ର ଅନୁଦାନ ଦେବାକୁ ରାଜ୍ୟ ସରକାର କମିଶନଙ୍କ ପାଖରେ ଦାବି ରଖନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ।
ଷୋଡ଼ଶ ଅର୍ଥ କମିଶନ ସହ ରାଜ୍ୟ ସରକାର ୬ ଓ ୭ ତାରିଖରେ ଆଲୋଚନା କରିବେ । ଜଳସେଚନ, ରେଳବାଇ , ରାସ୍ତାଘାଟ ଉନ୍ନତିକରଣ, ଗରିବ କଲ୍ୟାଣ ଯୋଜନା ସହ ପ୍ରାକୃତିକ ବିପର୍ଯ୍ୟୟ ମୁବାବିଲା ଉପରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ଏସବୁ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯିବ । ସେପଟେ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ ଓଡ଼ିଶା କିପରି ଅଧିକ ଅନୁଦାନ ପାଇବ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦିଅନ୍ତୁ । ଟିକସ ବାବଦରେ ରାଜ୍ୟ ଭାଗକୁ ବୃଦ୍ଧି କରିବାକୁ ଓଡ଼ିଶା ସରକାର ଦାବି କରନ୍ତୁ ବୋଲି ସେ ଦାବି କରିଛନ୍ତି । ଷୋଡ଼ଶ ଅର୍ଥ କମିଶନଙ୍କ ପାଖରେ ରାଜ୍ୟ କଣ ଦାବି କରୁଛି ଓ କେଉଁ କେଉଁ ପ୍ରସଙ୍ଗ ଉଠାଉଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ରାଜ୍ୟ ସରକାର କମିଶନଙ୍କ ପାଖରେ କେତେ ଦାବି କରୁଛନ୍ତି ଓ ଓଡ଼ିଶାକୁ କେତେ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ।