ସ୍ଥାଣୁ ପାଲଟିଛି ପୁରୀ ଜିଲ୍ଲାର କ୍ରୀଡ଼ା ସଂସଦ
1 min readପୁରୀ : ସ୍ଥାଣୁ ପାଲଟିଛି ପୁରୀ ଜିଲ୍ଲା କ୍ରୀଡ଼ା ସଂସଦ । ପୁନର୍ଗଠନ ନହୋଇ ଚାଲିଛି ମନମାନି । ପ୍ରଭାବିତ ହେଉଛନ୍ତି ଜିଲ୍ଲାର କ୍ରୀଡ଼ାବିତ୍ । ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରେ ପୁରୀ ଏକ ପ୍ରମୁଖ ଜିଲ୍ଲା ହୋଇଥିବlବେଳେ ଏଠାରେ କ୍ରୀଡ଼ାକୁ ନେଇ ବିଗତ ଦିନ ମାନଙ୍କରେ ଅନେକ ପଦକ୍ଷେପ ନିଆଯାଇଛି l ଜିଲ୍ଲା କ୍ରୀଡା ସଂସଦ ଦ୍ୱାରା ଏହା ସମ୍ଭବ ହୋଇପାରିଥିଲା । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୁଣା କ୍ରୀଡା ସଂସଦ ଭଙ୍ଗାଯାଇଥିବାବେଳେ ନୁଆ ସଂସଦ ଏପର୍ଯ୍ୟନ୍ତ ଗଠନ ହୋଇପାରି ନାହିଁ l ଫଳରେ ଗତ କିଛିବର୍ଷ ଧରି ଜିଲ୍ଲାରେ କ୍ରୀଡା ସଂସଦ ଏକ ପ୍ରକାର ସ୍ଥାଣୁ ପାଲଟିଛି । ଏହାଦ୍ବାରା କ୍ରୀଡ଼ାବିତ ବିଶେଷ ପ୍ରଭାବିତ ହୋଇଛନ୍ତି । ତେଣୁ ତୁରନ୍ତ କ୍ରୀଡା ସଂସଦ ପୁନଃଗଠନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି l
ଜିଲ୍ଲା କ୍ରୀଡା ସଂସଦର ପୁନଃ ଗଠନ ନେଇ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛି ଜିଲ୍ଲା କ୍ରୀଡା ବିଭାଗ । ଏନେଇ ଖୁବଶୀଘ୍ର ବୈଠକ ବସି ନୀତିଗତ ନିଷ୍ପତ୍ତି ନିଆଯିବ l ସେପଟେ ୨୦୨୩ ରେ ହାଇକୋର୍ଟ ପୁରୁଣା କ୍ରୀଡା ସଂସଦ ଭାଙ୍ଗି ନୂଆ ସଂସଦ ଗଠନ ନେଇ ନିର୍ଦ୍ଦେଶ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ପୁନଃଗଠନ ନେଇ ରହିତାଦେଶ ଜାରି କରିଛନ୍ତି । ତେବେ ସମସ୍ୟା ସମାଧାନ ଦିଗରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି l ରାଜ୍ୟରେ ଥିବା ପ୍ରାୟ ସମସ୍ତ ଜିଲ୍ଲାମାନଙ୍କରେ ଜିଲ୍ଲା କ୍ରୀଡା ସଂସଦ ଦ୍ୱାରା କ୍ରୀଡାର ବିକାଶ ପାଇଁ କାର୍ଯ୍ୟ ଜାରି ରହିଥିବାବେଳେ ପୁରୀ ଜିଲ୍ଲାରେ ନିରାଶ ହୋଇଛନ୍ତି କ୍ରୀଡାବିତ୍ ।