ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ, ଜଣେ ଅଭିଯୁକ୍ତ ଅଟକ
ଯାଜପୁର : ଫାଙ୍କା ଗୁଳି ଚାଳନା କରି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୫ଲକ୍ଷ ଟଙ୍କା। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଘଟିଛି ଏହି ଘଟଣା। ଦୁଇ ଯୁବକ ଗୁଳି ଫୁଟାଇବା ସହ ଭୁଜାଲିରେ ଆକ୍ରମଣ କରି ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଯାଜପୁର ବ୍ଲକ ବିଚିତ୍ରପୁର ଅଞ୍ଚଳର ବ୍ୟବସାୟୀ ଜିତେନ୍ଦ୍ର ଦାସ ଓ ସନ୍ତୋଷ ମହାନ୍ତି ବାରବାଟୀ ସ୍ଥିତ ଗଣେଶ ବଜାରରେ ଥିବା ଜନୈକ ବ୍ୟବସାୟୀଙ୍କ ନିକଟରୁ ଟଙ୍କା ଆଣି କାରରେ ଘରକୁ ଫେରୁଥିଲେ। ତେବେ ବାରବାଟୀ ବାଇପାସ ରାସ୍ତା ନିକଟରେ ଦୁଇ ଜଣ ଯୁବକ ଆସି ହଠାତ ଗାଡିକୁ ଅଟକାଇଥିଲେ। ଅନ୍ୟ ଦୁଇଜଣ ଯୁବକ ଏକ ମଟର ସାଇକେଲରେ ଆସି ଏକ ଭୁଜାଲିରେ କାର କାଚକୁ ଭାଙ୍ଗିବା ସହ ବନ୍ଧୁକରୁ ଗୁଳି ଚଳାଇଥିଲେ । ଏଥିସହ ତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଗୁଳି ଫୁଟା ଶବ୍ଦ ଶୁଣି ନିକଟରେ ଥିବା ଲୋକେ ଆସି ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।