ହଇଜାର ହଟସ୍ପଟ ପାଲଟିଛି ପୁରୀ କଣାସ ବ୍ଲକ, ମାନବାଧିକାର କମିଶନରେ ପହଞ୍ଚିଲା ମାମଲା

1 min read

ଭୁବନେଶ୍ବର : ହଇଜାର ହଟସ୍ପଟ୍ ପାଲଟିଛି ପୁରୀ ଜିଲ୍ଳା କଣାସ ବ୍ଲକ । ପ୍ରତିଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଗଲାଣି ୪ ଜଣଙ୍କ ଜୀବନ । ହେଲେ ସରକାର ଜଣେ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଥିବାରୁ ବଢିଛି ଜନ ଅସନ୍ତୋଷ । ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ମାମଲା । ଦୟା ନଦୀର ଦୂଷିତ ପାଣି ବ୍ୟବହାର ଯୋଗୁଁ କଣାସ ବ୍ଲକରେ ହଇଜା ବ୍ୟାପିଛି । ଏହି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ପ୍ରଦୂଷିତ ପାଣି ପିଇ ଯେଉଁ ୪ ଜଣଙ୍କ ମୃତ୍ୟୁ ଘଟିଲା, ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ଅପିଲ କରାଯାଇଛି । ଭୁବନେଶ୍ବରର ସମସ୍ତ ବର୍ଜ୍ଯବସ୍ତୁ ସହ ବିଷାକ୍ତ ପାଣି ଗଙ୍ଗୁଆ ମାଧ୍ୟମରେ ଦୟା ନଦୀରେ ମିଶୁଛି l  ସେହି ଜହର ବ୍ୟବହାର କରି କଣାସ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି  l ଦୟାନଦୀ ଦୂଷିତ ହେବାନେଇ ସମ୍ପୂର୍ଣ୍ଣ ଭାବେ ଭୁବନେଶ୍ବର ମହାନଗର ନିଗମ ଓ ରେଳବାଇକୁ ଦାୟୀ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ଭାବେ କମିଶନଙ୍କୁ ଅନୁରୋଧ କରାଯାଇଛି । ହଇଜା ପ୍ରଭାବିତ ଗାଁ ଗୁଡ଼ିକରେ ଜଳ ଯୋଗାଣ ଠିକ ଭାବେ ହେଉ ନଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।

କଣାସ ବକ୍ଲର ହଇଜା ଆକ୍ରାନ୍ତ ଗାଁ ଗୁଡ଼ିକରେ ୩୮ଟି ଟ୍ୟାଙ୍କର ଯୋଗେ ପାଣି ଯୋଗାଉଛି ପ୍ରଶାସନ । ନୂଆଗାଁ ଓ ଜାଗୁଳାଇପଦରକୁ ପର୍ଯ୍ୟାନ୍ତ ପାଣି ମିଳୁଛି । ହେଲେ ଗଡ଼ିଶାଗଦା, ଗୋପୀନାଥପୁର ଓ ଜାମଳଗଦା ପାଞ୍ଚାୟତକୁ ପର୍ଯ୍ୟାପ୍ତ ପାଣି ପହଞ୍ଚି ପାରୁନାହିଁ । ସେପଟେ ୪ଟି ପାଣି ଟ୍ୟାଙ୍କର ଅଚଳ ହୋଇ ପଡ଼ିଥିବାରୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି RWSS ସର୍ବୋଚ୍ଚ ଯନ୍ତ୍ରୀ । ଦୟା ଓ ଗଙ୍ଗୁଆ ନଦୀ ସଫା କରିବାକୁ ଜଳ ସମ୍ପଦ ବିଭାଗକୁ ଅନୁମତି ମାଗିଛି ଭୁବନେଶ୍ବର ମହାନଗର ନିଗମ । ହେଲେ ଏଯାଏଁ ଜଳ ସମ୍ପଦ ବିଭାଗ ଅନୁମତି ଦେଇ ନଥିବାରୁ ନିଜ ଆଡ଼ୁ ପରୀକ୍ଷାମୂଳକ ଭାବେ ଦୟା ଓ୍ବେଷ୍ଟ କେନାଲର ଶହେ ମିଟର ସଫଳ କରିବାକୁ ବିଏମସି ଯୋଜନା କରୁଛି ।