spot_img

Latest Posts

ପୁଣି ସନ୍ଦେହ ବଢ଼ାଇଲା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଆକ୍ରମଣ ପଛରେ ଏକାଧିକ ବ୍ୟକ୍ତି ..

ମୁମ୍ବାଇ : ପୁଣି ସନ୍ଦେହ ବଢ଼ାଇଲା ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା । ଆକ୍ରମଣ ପଛରେ ଜଣେ ନୁହନ୍ତି,ଏକାଧିକ ବ୍ୟକ୍ତି ଜଡ଼ିତ ବୋଲି ଆଶଙ୍କା ଘନୀଭୂତ ହୋଇଛି । ଏହି ଘଟଣାରେ ୩୦ ବର୍ଷ ବୟସ୍କ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଗିରଫ ହୋଇଥିବା ସତ୍ତ୍ବେ ଆକ୍ରମଣ ଘଟଣା ଅଧିକ ବିବାଦ ଆଡକୁ ଯାଇଛି । ଶରିଫୁଲକୁ ରିମାଣ୍ଡରେ ନେବା ଲାଗି ପୋଲିସ କରିଥିବା ଆବେଦନରେ ଏହି ତଥ୍ୟ ଦର୍ଶାଯାଇଛି। ଜାନୁଆରୀ ୧୬ରେ ହୋଇଥିବା ଆକ୍ରମଣ ଘଟଣା ବେଳେ ପିନ୍ଧିଥିବା ପୋଷାକଗୁଡିକୁ ଫରେନସିକ ପରୀକ୍ଷା ଲାଗି ହସ୍ତାନ୍ତର କରିବା ଲାଗି ସୈଫ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛି ପୋଲିସ । ସେପଟେ ତଦନ୍ତ ପ୍ରକ୍ରିୟାରେ ଶରିଫୁଲ୍ ସହଯୋଗ କରୁ ନଥିବା ସୂଚନା ମିଳିଛି । ତେଣେ ଅଭିଯୁକ୍ତକୁ ଏକ ସିମ୍ କାର୍ଡ ଦେଇଥିବା ଖୁକମଣି ଜାହାଙ୍ଗୀର ଶେଖକୁ ପୋଲିସ ଖୋଜୁଛି  ।

ସେପଟେ ଆହତ ହେବା ପରେ ପରେ ସୈଫଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ବୀମା ମଞ୍ଜୁରୀକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ବୀମା ନିୟାମକ ଆଇଆରଡିଏଆଇ ନିକଟରେ ହୋଇଛି ଅଭିଯୋଗ। ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ୩୬ ଲକ୍ଷ ଟଙ୍କାର କ୍ୟାସଲେସ୍ ଆବେଦନ କରାଯାଇଥିଲା । ସେଥିରେ ୨୫ ଲକ୍ଷ ଟଙ୍କା ହୋଇଥିଲା ମଞ୍ଜୁର। ତୁରନ୍ତ ବୀମା ପ୍ରଦାନକୁ ବିରୋଧ କରି ଆସୋସିଏସନ ଅଫ ମେଡିକାଲ କନସଲଟାଣ୍ଟ୍ସ ପକ୍ଷରୁ IRDAI ନିକଟରେ ଅଭିଯୋଗ କରାଯାଇଛି ।

ଏଭଳି ପରିସ୍ଥିତିରେ ମହମ୍ମଦ ଶରିଫୁଲ ସୈଫଙ୍କ ଆକ୍ରମଣକାରୀ ବୋଲି କିପରି ସାମ୍ନାକୁ ଆସିଲା ?

-ମୁମ୍ବାଇ ପୋଲିସ ସୈଫଙ୍କ ଘରୁ ୨୦୦ରୁ ଅଧିକ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଥିଲା। ସେଥିମଧ୍ୟରୁ ଦୁଇ ଡଜନରୁ ଅଧିକ ଫିଙ୍ଗର ପ୍ରିଣ୍ଟ ମେଳ ଖାଉ ନାହିଁ ।

-ଦ୍ୱିତୀୟତଃ  ଅଭିଯୁକ୍ତର ଚେହେରା ସମସ୍ତଙ୍କୁ ଦ୍ବନ୍ଦରେ ପକାଇଛି । କିନ୍ତୁ ମୁମ୍ବାଇ ପୋଲିସ କହିଛି ଯେ ଯେଉଁ ଦିନ ସୈଫଙ୍କୁ ଆକ୍ରମଣ କରାଯାଇଥିଲା ଏହା ପରେ ତାଙ୍କ ପରି ଦେଖାଯାଉଥିବା ଏକ ଡଜନରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିଲା । କିନ୍ତୁ ସେଦିନ ରାତିରେ ସୈଫଙ୍କ ଘରେ କିମ୍ବା ଆଖପାଖରେ ସେମାନଙ୍କ ମଧ୍ୟରୁ କାହାର ମୋବାଇଲ ଲୋକେଶନ ମିଳିନଥିବା ବେଳେ କେବଳ ଧରାଯାଇଥିବା ଆକ୍ରମଣକାରୀଙ୍କ ଲୋକେଶନ ମ୍ୟାଚ ହୋଇଥିଲା ।

-ମୁମ୍ବାଇ ପୋଲିସ କହିଛି ଯେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଅନେକ ପ୍ରମାଣ ସଂଗ୍ରହ କରିଛି ଯାହା ଏହି ମାମଲାକୁ ସ୍ପଷ୍ଟ କରୁଛି । ଏବଂ ଗିରଫହୋଇଥିବା  ଅଭିଯୁକ୍ତ ସୈଫଙ୍କ ଆକ୍ରମଣକାରୀ ବୋଲି ପ୍ରମାଣ ହୋଇଛି ।

-ସୈଫଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ରିକଗନାଇଜ ଟେଷ୍ଟ ବ୍ୟତୀତ ବର୍ତ୍ତମାନ ତାଙ୍କ ଫୁଟ ପ୍ରିଣ୍ଟ ମଧ୍ୟ ମେଳ ହେବ। ଘଟଣା ଦିନ ଅଭିଯୁକ୍ତ ସୈଫଙ୍କ ଘରେ ପ୍ରବେଶ କଲାବେଳେ ସେ ଖାଲି ପାଦରେ ପ୍ରବେଶ କରିଥିଲେ, ପାଦ ଛାପ ମଧ୍ୟ ନିଆଯାଇଥିଲା । ଅପରାଧ କରିବା ପରେ ସେ ପିନ୍ଧିଥିବା ଜୋତା ମଧ୍ୟ ଉଦ୍ଧାର କରାଯିବ ।

-ଅଭିଯୁକ୍ତ  ତଦନ୍ତରେ ସହଯୋଗ କରୁନାହିଁ ବୋଲି କୋର୍ଟରେ ମୁମ୍ବାଇ ପୋଲିସ କହିଛି । ତାଙ୍କୁ ବାଂଲାଦେଶରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିବାରେ କିଏ ସାହାଯ୍ୟ କରିଛି ସେନେଇ ମୁହଁ ଖୋଲୁନାହିଁ ।

-ଏଥି ସହିତ ମୁମ୍ବାଇ ପୋଲିସ ଶରିଫୁଲଙ୍କ ବୟାନକୁ ଗ୍ରହଣ କରୁନାହିଁ ଯେ ସେ ଏକାକୀ ଏଭଳି ବଡ ଘଟଣା ଯୋଜନା କରିଥିଲା । ପୋଲିସ ସନ୍ଦେହ କରୁଛି ଯେ ଅନ୍ୟ ସହଯୋଗୀଙ୍କ ସାହାଯ୍ୟରେ ସେ ଏଭଳି କାଣ୍ଡ ଘଟାଇଛନ୍ତି । ଏହି ଅପରାଧରେ ତାଙ୍କର ଅନ୍ୟ ସହଯୋଗୀ କିଏ ବୋଲି ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।

-ଏହି ମାମଲାରେ ଅନ୍ତର୍ନିହିତ ବ୍ୟକ୍ତିଙ୍କ ଭୂମିକା ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି। ସୈଫଙ୍କ ଘର ଭିତରେ ପାହାଚ କେଉଁଠାରେ ଅଛି, ସିଡ଼ି କେଉଁଠାରେ ଅଛି, ଘରକୁ ସିଡ଼ି କେତେ ଦୂର ଯାଏ ଏବଂ ବାଥରୁମରୁ ପୁଅ ଜେହଙ୍କ ଶୋଇବା ଘରକୁ କେଉଁ ରାସ୍ତା ଯାଏ … ଅଭିଯୁକ୍ତ ଶରିଫୁଲ ଏସବୁ କିପରି ଜାଣିଲେ ? ଏହି ମାମଲାରେ ସୈଫଙ୍କ କୌଣସି କର୍ମଚାରୀଙ୍କୁ ପୋଲିସ କ୍ଲିନ୍ ଚିଟ୍ ଦେଇନାହିଁ  ।

 

Latest Posts

Don't Miss