ଆର୍ଥିକ ବର୍ଷ ସରିବାକୁ ବସିଲାଣି, ବଜେଟ୍ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର

1 min read

ଭୁବନେଶ୍ବର: ଆର୍ଥିକ ବର୍ଷ ସରିବାକୁ ବସିଲାଣି । ବଜେଟ୍ ଅର୍ଥ ଖର୍ଚ୍ଚ କରିପାରିନାହାନ୍ତି ରାଜ୍ୟ ସରକାର । ରାଜସ୍ବ ଆଦାୟ ବି ନୈରାଶ୍ୟଜନକ । ଏହାସହ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟ ଅଂଶ ୧୦ ପ୍ରତିଶତରେ ସୀମିତ ରଖିବାକୁ କେନ୍ଦ୍ର ଆଗରେ ଦାବି ରଖନ୍ତୁ ସରକାର । ଆଜି ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଏପରି ମତ ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥନୀତି ବିଶେଷଜ୍ଞ । ଏହାସହ ବନ୍ଦ ପଡ଼ିଥିବା ଖଣିଗୁଡ଼ିକୁ ଚାଲୁ କରିବାକୁ ପାଇଁ ଦାବି ଉଠିଛି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ବିକଶିତ ଓଡିଶା ଯେଉଁ ଉପାଦେୟ ମତାମତ ମିଳିଛି ତାକୁ କାର୍ଯ୍ୟକାରୀ କରିବେ । ଆସନ୍ତା ୧୭ ତାରିଖରେ ବିଧାନସଭାରେ ଆସିବ ୨୦୨୫-୨୬ ଲାଗି ସାଧାରଣ ବଜେଟ ।

ବଜେଟ୍ ଅର୍ଥ ଖର୍ଚ୍ଚ ହୋଇପାରିନି । କମିଛି ଟିକସ ଓ ଅଣଟିକସ ରାଜସ୍ବ ଆୟ । କୋଇଲା ଓ ଖଣିଜ ରୟାଲଟି ବୃଦ୍ଧି ଦାବିକୁ ଲଗାତାର କେନ୍ଦ୍ର ଅଣଦେଖା କରିଚାଲିଛି । ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡ଼ିଶା କାହିଁକି ତାର ହକ୍ରୁ ବଞ୍ଚିତ ହେବ ? ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଏପରି ଦାବି କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥନୀତି ବିଶାରଦ ।

୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ କ୍ବାର୍ଟର ସୁଦ୍ଧା ବଜେଟ୍ ଅର୍ଥର ମାତ୍ର ୫୦ ପ୍ରତିଶତ ଖର୍ଚ୍ଚ ହୋଇଛି । ଆଉ ମାତ୍ର ଦୁଇମାସ ଭିତରେ ୭୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିବ କି ନାହିଁ ସନ୍ଦେହ । ସେପଟେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର ସରକାର ସବୁବେଳେ ରାଜ୍ୟ ଉପରେ ଅଧିକ ଆର୍ଥିକ ବୋଝ ଲଦି ଚାଲିଛନ୍ତି । କେନ୍ଦ୍ର ସେସ୍ ଓ ସର୍ଚାଜ ଜରିଆରେ ନିଜର ଟ୍ରେଜେରୀ ଭରୁଥିବା ବେଳେ ସେହି ଅନୁପାତରେ ରାଜ୍ୟମାନେ ଲାଭବାନ ହେଉନାହାଁନ୍ତି । କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟମାନଙ୍କୁ ୬୦:୪୦ ଅନୁପାତ ବଦଳରେ ୯୦:୧୦ ହାରରେ ଅର୍ଥ ମଞ୍ଜୁର କରିବାକୁ ଦାବି ରଖୁ ରାଜ୍ୟ । ଫଳରେ ରାଜ୍ୟର ଆୟ ବୃଦ୍ଧି ହେବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀମାନେ ପ୍ରସ୍ତାବ ଦେଇଛନ୍ତି ।

ସେହିଭଳି ଖଣି ସମୃଦ୍ଧ ରାଜ୍ୟମାନେ ଖଣି ଉପରୁ ସେସ୍ ଆଦାୟ କରିପାରିବେ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଲାଗୁ କରୁନାହାନ୍ତି । ଏହାଦ୍ବାରା ଓଡ଼ିଶା ଭଳି ରାଜ୍ୟ ବାର୍ଷିକ ଲକ୍ଷାଧିକ କୋଟି ଟଙ୍କା ହରାଉଛନ୍ତି । ଷୋଡ଼ଶ ଅର୍ଥ କମିଶନ ରାଜ୍ୟକୁ ଆସୁଛନ୍ତି । ପୂର୍ବ ନବୀନ ସରକାର ସମୟରେ ପଞ୍ଚଦଶ ଅର୍ଥ କମିଶନଙ୍କୁ କେବିକେ ଓ ଜଗନ୍ନାଥ ମନ୍ଦିର ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦାବି କରିଥିଲେ । କିନ୍ତୁ ଏହି ସ୍ବତନ୍ତ୍ର ଅର୍ଥ ମିଳିନାହିଁ । ଅର୍ଥ କମିଶନଙ୍କ ଆଗରେ ରାଜ୍ୟ ଏହି ପ୍ରସ୍ତାବକୁ ଦୋହରାଇବାକୁ ଦାବି ହୋଇଛି । ସେପଟେ ହୋଟେଲ ଶିଳ୍ପ ପାଇଁ ରାଜ୍ୟରେ ଅଧିକ ତାରକା ହୋଟେଲ ଖୋଲିବାକୁ ୧୦ ହଜାର କୋଟି ଟଙ୍କାର ପ୍ରସ୍ତାବ ଦେଇଛି ହାରୋ । ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କୁ ସ୍ବଳ୍ପ ମୂଲ୍ୟରେ ୪ ଲକ୍ଷ ବାସଗୃହ ଯୋଗାଇଦେବାକୁ ପ୍ରସ୍ତାବ ଦେଇଛି କ୍ରେଡାଇ ।

୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍ ଥିଲା ୨ ଲକ୍ଷ ୬୫ ହଜାର କୋଟି । ଯେଉଁଥିରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ଋଣ ସରକାରଙ୍କୁ କରିବାକୁ ପଡ଼ିଥିଲା । ଆସନ୍ତା ବଜେଟର କଳେବର ବୃଦ୍ଧି ହେଲେ ରାଜ୍ୟର ଋଣଭାର ଆହୁରି ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ନଜର ପକାନ୍ତୁ