ଫେବ୍ରୁଆରୀରେ ଆସିବେ ଷୋଡ଼ଶ ଅର୍ଥ କମିଶନ
ଭୁବନେଶ୍ବର : ଫେବ୍ରୁଆରୀ ୪ରୁ ୭ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ । ବିକଶିତ ଓଡ଼ିଶା ପାଇଁ ମିଳିବ କି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ? ନା’ ଡବଲ ଇଞ୍ଜିନ ସରକାରରେ ପୁଣି ଥରେ ଓଡ଼ିଶା ହେବ ଅବହେଳିତ ? ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଚତୁର୍ଦ୍ଦଶ ଓ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନଙ୍କ ପାଖରେ ପୂର୍ବ ନବୀନ ସରକାର ଦାବି କରିଆସୁଥିଲେ । ଖାଲି ସେତିକି ନୁହେଁ, ରାଜ୍ୟକୁ ଭର୍ଟିକାଲ ଟିକସ ବାବଦରେ ୫୦ ପ୍ରତିଶତ ଦେବାକୁ ଦାବି କରିଥିଲେ । ଏହାସହିତ ଦୁର୍ବିପାକ ପ୍ରବଣ ଓଡ଼ିଶା ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ଦେବାକୁ ମଧ୍ୟ ଦେଇଥିଲେ ୮ ଲକ୍ଷ ୨୪ ହଜାର କୋଟିର ଦାବି ପତ୍ର । କିନ୍ତୁ ଓଡ଼ିଶା ପାଇଁ କେନ୍ଦ୍ରକୁ ଅର୍ଥ କମିଶନଙ୍କ ସୁପାରିସ ଥିଲା ମାତ୍ର ୨ ଲକ୍ଷ ୨୨ ହଜାର କୋଟି । ଅର୍ଥାତ୍ ଦାବିର ୪ ଗୁଣରୁ ଭାଗେ । କେନ୍ଦ୍ର ଅର୍ଥ କମିଶନ ଓଡ଼ିଶାକୁ ଆସନ୍ତି । ବୁଲନ୍ତି, ବୁଝନ୍ତି ଦାବି ଶୁଣନ୍ତି । କିନ୍ତୁ ଦିଲ୍ଲୀ ଗଲା ପରେ ସବୁ ଓଲଟିଯାଏ । ଯାହା ସୁପାରିସ କରାଯାଏ ତାକୁ ଠିକଣା ସମୟରେ ଦେବାରେ ବି କେନ୍ଦ୍ର ଅବହେଳା କରେ । ଏଭଳି ସ୍ଥିତିରେ ମୋହନ ସରକାରଙ୍କ ନିଷ୍ପତ୍ତି କମିଶନଙ୍କ ଆଗରେ ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯିବ । କିନ୍ତୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନେଇ କଣ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସେ ନେଇ ମୁଖ୍ୟମନ୍ତ୍ରୀ ଉଁ କି ଚୁଁ ପଦୁଟିଏ କହୁନାହାନ୍ତି । ବିଜେଡିର ଅଭିଯୋଗ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ପ୍ରତିଶୃତି ରଖିଥିଲା । କିନ୍ତୁ କ୍ଷମତାକୁ ଆସିବା ପରେ ସବୁ ଭୁଲିଗଲେ । ସୁଧମୁକ୍ତ ଋଣ ଦେଇ ବାହାବା ନେଉଛନ୍ତି । ଏସବୁ ପ୍ରଶ୍ନର ବିଜେପି କଣ ଉତ୍ତର ଦେଉ କି ନ ଦେଉ, ପୂର୍ବୋଦୟର ବିକାଶ କଥା କହି ପଞ୍ଚାୟତ ହାତକୁ ଅଧିକ ପାଣ୍ଠି ଆସିଲେ ରାଜ୍ୟର ସର୍ବାଙ୍ଗୀନ ବିକାଶ ହେବ ବୋଲି ଯୁକ୍ତି ବାଢିଛି ।
ଚତୁର୍ଦ୍ଦଶ ଅର୍ଥ କମିଶନ ରାଜ୍ୟକୁ ୪୨ ପ୍ରତିଶତ ଟିକସ ଅର୍ଥ ଆବଣ୍ଟନ କରିଥିଲେ । କିନ୍ତୁ ଜାମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେଲା ପରେ ୪୨ ପ୍ରତିଶତରୁ ୪୧ ପ୍ରତିଶତକୁ ହ୍ରାସ କଲେ ପଞ୍ଚଦଶ ଅର୍ଥ କମିଶନ । ଏବେ ହୋରାଇଜେଣ୍ଟାଲ ଟିକସ ବ୍ୟବସ୍ଥାରେ କେନ୍ଦ୍ର ଟିକସ ଅଂଶରୁ ଓଡ଼ିଶାକୁ ମିଳୁଛି ୪.୫୨୮ ପ୍ରତିଶତ । ଯାହାକି ସମୁଦ୍ରକୁ ଶଙ୍ଖେ । ବିକଶିତ ଓଡ଼ିଶାର ସ୍ବପ୍ନ ଏଥିରେ ପୂରା ହେବନି । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମତ, କେନ୍ଦ୍ର ଅର୍ଥ କମିଶନଙ୍କ ପାଖରେ ବଡ଼ ପରିମାଣର ଟଙ୍କା ଦାବି ରଖିଲେ ହେବନି । ଏଥିପାଇଁ ଏହାକୁ କିପରି ଖର୍ଚ୍ଚ କରାଯିବ ସେ ନେଇ ଠୋସ ଖସଡ଼ା ସହ ଦାବି ରଖିବା ଦରକାର । ଓଡ଼ିଶାର ଜନସଂଖ୍ୟା ସହିତ ଅପପୁଷ୍ଟି ଓ ଦୁର୍ବିପାକକୁ ଆଖିରେ ରଖି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା କିମ୍ବା ବିହାର ଓ ଆନ୍ଧ୍ର ଭଳି ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦେବାର ଆବଶ୍ୟକତା ରହିଛି । ତା ନ ହେଲେ ଡବଲ ଇଞ୍ଜିନ ସରକାରକୁ ଓଡ଼ିଶାବାସୀ ଯେପରି କ୍ଷମତାକୁ ଆଣିଲେ ଆଗାମୀ ଦିନରେ ଏହି ଚିତ୍ର ବି ଓଲଟି ଯାଇପାରେ ।
ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବାରେ ଏବେ କେନ୍ଦ୍ର ଟାଳୁଟୁଳ ନୀତି ଆପଣାଉଛି । ଷୋଡ଼ଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ୨୦୨୬ରୁ ଆରମ୍ଭ ହୋଇ ୨୦୩୧ ପର୍ଯ୍ୟନ୍ତ ଜାରି ରହିବ । ଖଣିଜ ସମ୍ପଦ ଭରା ଓଡ଼ିଶା ପାଇଁ ଏ ପର୍ଯ୍ୟନ୍ତ କୋଇଲା ରୟାଲଟି ରିଭିଜନ ହେଉନି କି ଖଣି ରୟାଲଟି ନେଇ କେନ୍ଦ୍ର ଏକ ପ୍ରକାର ବାଟ ବନ୍ଦ କରିଦେଇଛି । ଏବର ରାଜ୍ୟ ସରକାର ରାଜ୍ୟବାସୀଙ୍କ ହିତ କଥା ଚିନ୍ତା କରୁଛନ୍ତି ନା ଦିଲ୍ଲୀ ଆକ୍କାଙ୍କୁ ଖୁସି କରିବାକୁ କେବଳ ଔପଚାରିକତା ପୂର୍ଣ୍ଣ କରିବାରେ ବ୍ୟସ୍ତ ରହିବେ ତାକୁ ରାଜ୍ୟବାସୀ ଅନାଇବସିଛନ୍ତି ।