ନାମକୁ ମାତ୍ର ଭୁବନେଶ୍ଵର ଜାତୀୟ ଅନୂସୂଚିତ ଜନଜାତି କମିଶନଙ୍କ ଆଞ୍ଚଳିକ କାର୍ଯ୍ୟାଳୟ

ଭୁବନେଶ୍ବର : ସାଇନବୋର୍ଡ ହିଁ ବୟାନ କରୁଛି ଏ ସରକାରୀ କାର୍ଯ୍ଯାଳୟ କିଭଳି କାର୍ଯ୍ଯ କରୁଛି। ବୋର୍ଡରୁ ଅକ୍ଷର ଲିଭି କଳଙ୍କି ଲାଗିଲାଣି।ଭିତରେ ଅଧିକାରୀ ନଥିବାରୁ ଖାଲି ପଡ଼ିଛି ଏକାଧିକ ସିଟ୍। ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ଏ ହେଉଛି ଭୁବନେଶ୍ବର ଆଂଚଳିକ କାର୍ଯ୍ଯାଳୟ।ଏହି ଅଫିସ ଅଧିନରେ ଓଡିଶା ସମେତ ପଶ୍ଚିମବଂଗ, ତାମିଲନାଡୁ, ତେଲଂଗାନା, ଆନ୍ଧ୍ର ପ୍ରଦେଶ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଂଜ ରହିଛି। ଅନୁସୂଚିତ ଜନଜାତି ବର୍ଗଙ୍କ ଉପରେ ହେଉଥିବା ଅତ୍ଯାଚାର, ଚାକିରୀ ଓ ଉନ୍ନୟନମୂଳକ କାର୍ଯ୍ଯରେ ଅବ୍ଯବସ୍ଥା ସମ୍ପର୍କିତ ଅଭିଯୋଗର ଶୁଣାଣି କମିସନ କରିଥାନ୍ତି। ତଦାରଖ ପାଇଁ ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ଯାଳୟରେ ଜଣେ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି। ସେହିଭଳି ଅନୁମୋଦିତ କର୍ମଚାରୀକଂ ସଂଖ୍ଯା ୧୪। ହେଲେ ଅଛନ୍ତି ମାତ୍ର ୫ ଜଣ।ସ୍ଥାୟୀ ନିର୍ଦ୍ଦେଶକ ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଛି।ଦାୟିତ୍ଵରେ ଥିବା ଅଧିକାରୀ ଦିଲ୍ଲୀରେ ଥିବା ମୁଖ୍ଯ କାର୍ଯ୍ଯାଳୟ ସମେତ ଉତ୍ତରପୂର୍ବ ବିଭିନ୍ନ ରାଜ୍ଯ ଦାୟିତ୍ଵରେ ଅଛନ୍ତି।ତେଣୁ ସେ ଏଠାକୁ ଆସିବା ସମ୍ଭବପର ହେଉନି। ଦୟନୀୟ ଅବସ୍ଥାରେ ପଡିରହିଛି କମିଶନଙ୍କ କାର୍ଯ୍ୟାଳୟ ।

ଅନୂସୁଚିତ ଜନଜାତି କମିଶନଙ୍କ ନୂଆଦିଲ୍ଲୀ ମୂଖ୍ଯ କାର୍ଯ୍ଯାଳୟ ସମେତ ଦେଶରେ ୬ଟି ଆଂଚଳିକ କାର୍ଯ୍ଯାଳୟ ରହିଛି।ଦେଶରେ ସାମାଜିକ ନ୍ଯାୟ ପ୍ରତିଷ୍ଠା, ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ସଶକ୍ତ କରିବା ପାଇଁ ୮୯ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ୨୦୦୪ରେ କମିଶନ ଗଠନ ହୋଇଥିଲା।ଜଣେ ଅଧ୍ଯ୍ଯକ୍ଷ, ଜଣେ ଉପାଧ୍ୟକ୍ଷଙ୍କ ସହ ୩ ସଦସ୍ୟ ରହିବା ବ୍ୟବସ୍ଥା ରହିଛି।ହେଲେ ଏବେ କମିଶନରେ ଉପାଧ୍ଯ୍ଯକ୍ଷ ପଦବୀ ମଧ୍ଯ୍ଯ ଖାଲି ପଡିଛି। ଜନଜାତି ବର୍ଗଙ୍କୁ ଅଧିକ ସୁରକ୍ଷା ଦେବା ପାଇଁ ତତ୍କାଳୀନ ବିଜେଡି ସରକାର କେନ୍ଦ୍ରୀୟ ଢାଂଚାରେ ରାଜ୍ଯ ଜନଜାତି କମିଶନ ଗଠନ ଲାଗି ନିଷ୍ପତ୍ତି ନେଇଥିଲେ। ହେଲେ ସରକାର ବଦଳିବା ପରେ ନୂଆ ସରକାର ପୂରା ଚୁପ।କେବଳ ସାମ୍ବିଧାନିକ ପଦପଦବୀରେ କିଛି ଜନଜାତି ବର୍ଗଙ୍କୁ ବସାଇ ସରକାର ନିଜ ଦାୟିତ୍ଵ ସାରିଦେଇଥିବା ଅଭିଯୋଗ ହୋଇଛି। କର୍ମଚାରୀ ଅଭାବରୁ କିଛି ବର୍ଷ ଧରି ଜନଜାତି କମିଶନଙ୍କ ଭୁବନେଶ୍ବର ଆଂଚଳିକ କାର୍ଯ୍ଯାଳୟ କୌଣସି ମାମଲା ନିଜ ଆଡୁ ରୁଜୁ କରିନାହିଁ। ଶେଷଥର ପାଇଁ କେବେ ହୋଇଥିଲା ସେ ଖବର ମଧ୍ଯ୍ଯ କାହା ପାଖରେ ନାହିଁ। ଗତ ଡିସେମ୍ବର ସୁଦ୍ଧା ମାତ୍ରା ୨୪୩ ମାମଲା ଦାୟର ହୋଇଛି।