କଣ ହେବ ଅଙ୍ଗନଓ୍ବାଡିର ଭବିଷ୍ୟତ? ତାକୁ ନେଇ ଦ୍ବନ୍ଦ୍ବରେ ସାରା ରାଜ୍ୟର ଅଙ୍ଗନଓ୍ବାଡି କର୍ମୀ

1 min read

ଭୁବନେଶ୍ବର : ଜାତୀୟ ଶିକ୍ଷା ନୀତି-୨୦୨୦ର ଏକ ବିବାଦୀୟ ଦିଗକୁ ନେଇ ପ୍ରଶ୍ନ । ଲକ୍ଷ ଲକ୍ଷ ଅଙ୍ଗନଓ୍ବାଡି କର୍ମୀଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଗଲାଣି। ଶିଶୁ ବାଟିକା ୧ ଓ ୨କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ନେବା ପାଇଁ ପ୍ରକ୍ରିୟା ଚାଲିଛି । ସ୍କୁଲ ଅଧୀନକୁ ଏହା ଗଲେ, ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ ହେବାର ଭୟ ରହିଛି । ଏପରି ସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାମ କରୁଥିବା ଅଙ୍ଗନଓ୍ବାଡି କର୍ମଚାରୀଙ୍କ ଦରମା ଓ ସମ୍ମାନକୁ ନେଇ ଦ୍ବନ୍ଦ୍ବ ଉପୁଜିବ । ସେମାନେ ସ୍କୁଲରେ ପଢାଇବେ ନା ଶିକ୍ଷକମାନେ ପ୍ଲେ-ସ୍କୁଲ ପରି ଶିଶୁ ବାଟିକା ୧ ଓ ୨ ପଢାଇବେ, ତାହା ଏଯାଏ ସ୍ପଷ୍ଟ ହୋଇନି । ଯଦି ବି ସ୍କୁଲରେ ପଢାଇବେ, କେଉଁ ଯୋଗ୍ୟତା ଓ ଅଭିଜ୍ଞତା ନେଇ ପଢାଇବେ, ସେ ଚିନ୍ତା ବଢିଛି । ଚାକିରୀର ଅନିଶ୍ଚିତତା ଉପୁଜୁଥିବାରୁ ଅଙ୍ଗନବାଡି କର୍ମୀ ଓ ସହଯୋଗୀମାନେ ମାନସିକ ଚାପରେ ପଡ଼ିଛନ୍ତି । ଏହା ବିରୋଧରେ ଡବଲ ଇଂଜିନ ସରକାରକୁ ଟାର୍ଗେଟ କରି ଅଲ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘ ଅଙ୍ଗନବାଡି କର୍ମୀଙ୍କ ଭୂମିକା ଓ ସହକର୍ମୀମାନଙ୍କ ସପଲୀମେଣ୍ଟାରୀ ନ୍ୟୁଟ୍ରିସନାଲ ପ୍ରୋଗ୍ରାମ ନେଇ ସ୍ପଷ୍ଟୀକରଣ ଦାବି କରିଛି ।

ଅଙ୍ଗନଓ୍ବାଡି କର୍ମୀଙ୍କ ଭବିଷ୍ୟତ ଦୁର୍ଦ୍ଦିନକୁ ଠେଲି ହେଉଥିବାରୁ, ବିଜେଡି ମଧ୍ୟ ଏହି ସରକାରୀ ଯୋଜନାକୁ ବିରୋଧ କରିଛି । ସରକାର ନିଷ୍ପତ୍ତି ନ ବଦଳାଇଲେ ବିଜୁ ଜନତା ଦଳ ଶ୍ରମିକ ସାମ୍ମୁଖ୍ୟ ଆନ୍ଦୋଳନ କରିବାର ଚେତାବନୀ ଦେଇଛି । କାରଣ ଏହା ଅଙ୍ଗନଓ୍ବାଡି ସହ ଆଶା କର୍ମୀଙ୍କ ଜୀବନକୁ ବି ପ୍ରଭାବିତ କରିବ । ଗରିବ ଶିଶୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ଲେ-ସ୍କୁଲ ଢାଞ୍ଚାରେ ପଢୁଥିଲେ । ସ୍ବଳ୍ପ ଦରମାରେ ଉଭୟ ମାଆ ଓ ଶିଶୁଙ୍କ ଯତ୍ନ ନିଅନ୍ତି ଅଙ୍ଗନଓ୍ବାଡି କର୍ମୀ । ଯଦି ସେମାନଙ୍କୁ ନୂତନ ନିୟମର ସ୍ପଷ୍ଟୀକରଣ ନ ଦିଆଯାଏ, ତାହା ଶିଶୁମାନଙ୍କ ଯତ୍ନ କାର୍ଯ୍ୟକ୍ରମରେ ଅଙ୍ଗନଓ୍ବାଡି କର୍ମଚାରୀଙ୍କ ଚାପ ବଢାଇବ ।