ପୁଣି କୋଟାରୁ କରୁଣ କାହାଣୀ, ଜୀବନ ହାରିଲେ ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: କମ୍ପିଟିଟିଭ ହବରେ ପୁଣି ଆତ୍ମହତ୍ଯାର କରୁଣ ଉଦାହରଣ। ରାଜସ୍ଥାନ କୋଟାରେ ପ୍ରାଣ ହାରିଛନ୍ତି ଆଉ ୨ ଜଣ ଛାତ୍ରଛାତ୍ରୀ। ମାତ୍ର ୨ ଘଣ୍ଟା ମଧ୍ଯରେ ସେମାନେ ଆତ୍ମହତ୍ଯା କରିଛନ୍ତି। ଆତ୍ମହତ୍ଯା କରିଥିବା ଛାତ୍ରୀଜଣକ ନିଟ୍ ଲାଗି ପ୍ରସ୍ତୁତ ହେଉଥିବାବେଳେ ଛାତ୍ରଜଣକ ଜେଇଇ ଲାଗି ପ୍ରସ୍ତୁତ ହେଉଥିଲେ। କ୍ରମାଗତ କିଛି ବର୍ଷ ଧରି କୋଟାରେ ଆତ୍ମହତ୍ଯା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମୃତଛାତ୍ରୀ ଗୁଜରାଟର ୨୪ ବର୍ଷ ବୟସ୍କା ଅସଫା ଶେଖ। ସେ ଜବାହାର ନଗରରେ ରହୁଥିଲେ। ସେ ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ। ମୃତ ଛାତ୍ରଙ୍କ ବୟସ ୧୮ ବର୍ଷ ଓ ତାଙ୍କ ଘର ଆସାମର ଗୁଆହାଟି। ସେ ମହାବୀର ନଗର ଅଞ୍ଚଳରେ ରହୁଥିଲେ। ହଷ୍ଟେଲ ରୁମରେ ସେ ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ।

ଏହି ୨ ଘଟଣାକୁ ମିଶାଇ ଚଳିତ ବର୍ଷ କେବଳ ଜାନୁଆରୀରେ ୬ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ଯା କରିଛନ୍ତି। ବଡ଼କଥା ହେଉଛି ଛାତ୍ରଜଣକ ଆସନ୍ତା ସପ୍ତାହରେ ଜେଇଇ ପରୀକ୍ଷା ଦେଇଥାନ୍ତେ। ପରୀକ୍ଷାରେ ପୁଅକୁ ଗାଇଡ କରିବା ଲାଗି ମା କୋଟା ଆସିବା ପୂର୍ବରୁ ସେ ଚରମ ପଦକ୍ଷେପ ନେଇଥିଲା। ଗତବର୍ଷ କୋଟାରେ ମୋଟ ୧୭ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ଯା କରିଥିଲେ। ଜାନୁଆରୀ ୭ରେ ହରିୟାଣାର ନୀରଜ ନାମକ ଛାତ୍ର ଆତ୍ମହତ୍ଯା କରିଥିବାବେଳେ ଜାନୁଆରୀ ୮ରେ ମଧ୍ଯପ୍ରଦେଶର ଅଭିଷେକ ତାଙ୍କ ପିଜି ରୁମରେ ଆତ୍ମହତ୍ଯା କରିଥିଲେ। ଜାନୁଆରୀ ୧୬ରେ ଓଡ଼ିଶାର ଅଭିଜିତ ଗିରି ନାମକ ଜଣେ ଛାତ୍ର ଆମ୍ବେଦକର କଲୋନୀରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ। ଜାନୁଆରୀ ୧୮ରେ ମନନ ଜୈନ ଆତ୍ମହତ୍ଯା କରିଥିଲେ।