ଚୂଲିକୁ ଗଲା ୩୦୦ ୟୁନିଟ୍ ମାଗଣା ବିଜୁଳି: ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟର ବୋଝ ଲଦି ଦେଲେ ସରକାର
ଭୁବନେଶ୍ବର: ବିଜୁଳି ଉପଭୋକ୍ତଙ୍କ ଉପରେ ଡବଲ ବୋଝ ଲଦିଦେଲେ ଡବଲ ଇଞ୍ଜିନ ସରକାର । ପୁରୁଣା ମିଟର ହଟାଇ ଲଗାଯାଉଛି ସ୍ମାର୍ଟ ମିଟର । ତେବେ ସ୍ମାର୍ଟ ମିଟରକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ, ଏହା ଲଗାଇବା ବାଧ୍ୟତାମୂଳକ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ । ସିଧାସଳଖ ପ୍ରଶ୍ନ ପଚାରିଛନ୍ତି ଯେ, ପୁରୁଣା ମିଟରରେ କ’ଣ ରହିଛି ଅସୁବିଧା ? ସେହିପରି ସ୍ମାର୍ଟ ମିଟର ଲଗାଇବା ପାଇଁ କାହିଁକି ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବିରୋଧୀ ପ୍ରଶ୍ନ କଲେଣି । ସେପଟେ ସ୍ମାର୍ଟ ମିଟରରେ ବିଜୁଳି ବିଲ୍ ଅଧିକ ଆସୁଥିବା ଅଭିଯୋଗ ମଧ୍ୟ ଆସିଲାଣି ।
ପୁରୁଣା ମିଟର ହଟାଇ ଲଗା ଗଲାଣି ସ୍ମାର୍ଟ ମିଟର । ଦେବାକୁ ପଡୁଛି ପାଖାପାଖି ଅଧିକ ୨୦୦୦ ଟଙ୍କା । କିନ୍ତୁ କାହିଁକି ହଟାଗଲା ପୁରୁଣା ମିଟର ? ସ୍ପଷ୍ଟ କରୁନାହାନ୍ତି ବିଦ୍ୟୁତ ବିତରଣ କମ୍ପାନୀ । ପୁରୁଣା ମିଟର ହଟାଇ ସ୍ମାର୍ଟ ମିଟର ଲଗାଯିବା ପରେ ବିଲ୍ ଦେଢ଼ ଗୁଣା ବଢୁଥିବା ଅଭିଯୋଗ ହେଲାଣି । କିନ୍ତୁ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହୁଛନ୍ତି ଏହା ବାଧ୍ୟତାମୂଳକ । ଯାହାକୁ ନେଇ ଏବେ ଅଡୁଆରେ ପଡ଼ିଛନ୍ତି ଉପଭୋକ୍ତା । କାରଣ ଡବଲ ଇଞ୍ଜିନ ସରକାରଙ୍କ ଏହା ଏକ ସ୍ମାର୍ଟ ଧୋକ୍କା ବୋଲି କହିଲେଣି ଗ୍ରାହକ । ପ୍ରତି ମାସରେ ମିଟର ଚାର୍ଜ ବାବଦରେ ୬୦ ଟଙ୍କା ନେଉଛନ୍ତି ବିତରଣ କମ୍ପାନୀ । ହେଲେ ବିଲ୍ କାହିଁକି ଅଧିକ ଆସୁଛି, ତା’ର କିନ୍ତୁ ଉତ୍ତର ଦେଉନାହାନ୍ତି । ଖାଲି ସେତିକି ନୁହେଁ, ନୂଆ ମିଟର ଲାଗିବା ପରେ ପୁରଣା ମିଟର କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାହକ ।
ଗତ ୭ ମାସରେ ପଦାରେ ପଡ଼ିଲାଣି ବିଜେପି ସରକାରର ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି । ୩୦୦ ୟୁନିଟ ମାଗଣା ବିଜୁଳି କଥା ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା ବିଜେପି । ହେଲେ ତାହା ଏଯାଏଁ ହେଲା ନାହିଁ । ଓଲଟି ଅର୍ଥ ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାର ବୋଝ ଉପଭୋକ୍ତାଙ୍କ ଉପରେ ଲଦି ଦିଆଗଲା । ଆଉ ଏବେ ସ୍ମାର୍ଟ ମିଟର, ଗ୍ରାହକଙ୍କ ବୋଝକୁ ଆହୁରି ବଢାଇ ଦେଇଛି । ବିଦ୍ୟୁତ ବିତରଣ କମ୍ପାନୀଙ୍କ ସହ ସରକାରଙ୍କ ମଧୁଚନ୍ଦ୍ରିକା ଚାଲିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସରକାର କାହିଁକି ସ୍ମାର୍ଟ ମିଟର ଲାଗୁ କରୁଛନ୍ତି, ସେ ନେଇ ବିଜେପି ନେତା ବି ଆଚମ୍ବିତ ହେଲେଣି ।
ସ୍ମାର୍ଟ ମିଟର ନାଁରେ ଶୋଷଣ ଚାଲିଥିବାରୁ ଆର୍ଥିକ ସ୍ତରରେ ହସ୍ତସନ୍ତ ହେଉଛନ୍ତି ବିଜୁଳି ଉପଭୋକ୍ତା । ଯେପରି ଘରକୁ ଘର ବୁଲି ବିଦ୍ୟୁତ ବିତରଣ କମ୍ପାନୀ କର୍ମଚାରୀ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରୁଛନ୍ତି । ତାହା ଲୋକଙ୍କ ମନରେ ଭୟ ଖୋଳାଇ ଦେଇଛି ।