ମହଙ୍ଗା ମାଡ଼ରେ କଲବଲ ଖାଉଟି, ଉତ୍ପାଦନ ଭଲ ହେଲେ ବି ପାଇକରୀ ବଜାରକୁ ଆସୁନି ମାଲ
ଭୁବନେଶ୍ବର : ମହଙ୍ଗା ମାଡ଼ରେ କଲବଲ ଖାଉଟି । ଖାଦ୍ୟସାମଗ୍ରୀ ଦରବୃଦ୍ଧି ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି । କେନ୍ଦ୍ରଠୁ ରାଜ୍ୟ ସରକାରଙ୍କୁ ଶୁଭୁନଥିଲା ଖାଉଟିଙ୍କ ଆର୍ତ୍ତନାଦ । ଏବେ ଫୁଙ୍ଗୁଳା କଲା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ । ରିପୋର୍ଟରେ ମନ୍ତ୍ରାଳୟ କହିଛି, ଖାଦ୍ୟ ସାମଗ୍ରୀ ଏତେ ବଢିଛି ଯେ, ଖୁଚୁରା ଦର କଥା ଛାଡ଼ନ୍ତୁ ପାଇକରୀ ଦର ନିୟନ୍ତ୍ରଣ ସାମା ଟପିଲାଣି । ୨୦୨୩ ଡିସେମ୍ବରରେ ପାଇକରୀ ମୁଦ୍ରାସ୍ଫୀତି ଥିଲା ୦.୮୬ ପ୍ରତିଶତ । ୨୦୨୪ରେ ଡିସେମ୍ବର ବେଳକୁ ବଢି ହୋଇଛି ୨.୩୭ ପ୍ରତିଶତ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ଷକ ଭିତରେ ଆଳୁ ଓ ପିଆଜ ଦରବୃଦ୍ଧି ଲୋକଙ୍କୁ ବେଶୀ କଲବଲ କରିଛି । ଏହି ସମୟରେ ଆଳୁ ଦର ୯୩.୨୦ ପ୍ରତିଶତ ବଢିଥିବାବେଳେ ପିଆଜ ଦର ବଢିଛି ୧୬.୮୧ ପ୍ରତିଶତ । ସେହି ଅନୁପାତରେ ବଢିଛି ଫଳ, ଦୁଗ୍ଧ, ଅଣ୍ଡା, ମାଛ ଓ ମାଂସ ଦର । ତୈଳବୀଜ ଦର ବଢିଛି ୨.୪୬ ପ୍ରତିଶତ । ପନିପରିବା, ଫଳ, ମାଛ ଓ ମାଂସ ଦରବୃଦ୍ଧି ଯୋଗୁ ପ୍ରକ୍ରିୟାକୃତ ଖାଦ୍ୟର ମଧ୍ୟ ବି ଦାମ ବଢିଛି । ଖୋଦ ବ୍ୟବସାୟୀ ମହାସଂଘ କହିଛି, ଏଥିପାଇଁ କେନ୍ଦ୍ର ସରକାର ଦାୟୀ । ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ପାଦନ ପ୍ରଭାବିତ ହୋଇଛି ସତ । କିନ୍ତୁ ସବୁ ସମୟରେ ନୁହେଁ । ଯେଉଁ ଫସଲ ବି ଭଲ ଉତ୍ପାଦନ ହେଉଛି ତାକୁ ଚାଷୀଙ୍କଠାରୁ ଶସ୍ତାରେ କିଣି ହୋର୍ଡ଼ିଂ କରି ରଖିଦେଉଛନ୍ତି ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା । ଏପରିକି ଆଗଭଳି ପାଇକରୀ ବଜାରକୁ ବି ଉତ୍ପାଦନ ଆସୁନି । ଏବର କେନ୍ଦ୍ର ସରକାର ମନଇଚ୍ଛା ଏଫଡିଆଇକୁ ରିଟେଲ ବ୍ୟବସାୟରେ ଅନୁମତି ଦେଇଛନ୍ତି । ଲୋକେ ମହଙ୍ଗା ମାଡ଼ରେ ଆଉଟୁପାଉଟୁ ହେଉଛନ୍ତି ତଥାପି କେନ୍ଦ୍ରର ଚାଲାକିକୁ ବୁଝିପାରୁନାହାନ୍ତି ।
ବଜାର ବିଶେଷଜ୍ଞଙ୍କ ମତ ପାଇକରୀ ମୁଦ୍ରାସ୍ଫୀତି ୧ ପ୍ରତିଶତ ବଢିଲେ ଖୁଚୁରା ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ବଢିବ । ଏହାକୁ ନିୟନ୍ତ୍ରଣ କରିବା କେନ୍ଦ୍ର ସରକାର ଦାୟିତ୍ବ । ସରକାରୀ ଚାକିରିଆ ହେଉ କି ବ୍ୟବସାୟୀ, ମହଙ୍ଗା ବଜାରରେ କେହି ବି ଲାଭବାନ ହୁଅନ୍ତିନି । କେନ୍ଦ୍ର ସରକାର ଯୋଗାଣ ଶୃଙ୍ଖଳକୁ ନିୟନ୍ତ୍ରଣ ନ କଲେ ସ୍ଥିତି ଆହୁରି ଖରାପ ଆଡ଼କୁ ଯିବ । ସବୁଥିରେ କେନ୍ଦ୍ର ସରକାର ଜିଏସଟି ବସାଇ ଟିକସ ସଂଗ୍ରହ କରୁଛନ୍ତି । କେନ୍ଦ୍ର ସରକାର ଏଥିରେ ମାଲାମାଲ ହେଉଛନ୍ତି । ଲୋକଙ୍କୁ ଶସ୍ତାରେ ଖାଦ୍ୟ ସାମଗ୍ରୀ ଯୋଗାଇବା କେନ୍ଦ୍ର ଦାୟିତ୍ବ । କର୍ପୋରେଟ୍ ଜଗତକୁ ଯଦି ଖୁଚୁରା ବ୍ୟବସାୟରେ ଅନୁମତି ଦେଉଛନ୍ତି ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ପଡ଼ିବ । ଗୋଟିଏ ଅଞ୍ଚଳରେ ଭଲ ଉତ୍ପାଦନ ହେଉଥିବା ଫସଲକୁ ଯେପରି ସେହି ଅଞ୍ଚଳ ଭିତରେ ସୀମିତ ନ ରହିବ ତାକୁ ସମାନ ଭାବେ ସବୁ ଅଞ୍ଚଳରେ ପହଞ୍ଚାଇଲେ ଚାଷୀ ଉପକୃତ ହେବା ସହ ଖାଉଟି ବି ସୁହାଇଲା ଭଳି ଦରରେ ପାଇବେ । ଏହାଦ୍ବାରା ବଜାର ଶୃଙ୍ଖଳ ଆସିବ । ମହଙ୍ଗା ରାକ୍ଷସ କବଳରେ ଲୋକେ । ଏକଥା କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ସ୍ପଷ୍ଟ କଲାପରେ ବି ବିତଣ୍ଡା ଓ କିମ୍ଭୁତ କିମ୍ଭାକାର ଯୁକ୍ତି ବାଢୁଥିବା ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀଙ୍କ ପାଖରେ କଣ ଉତ୍ତର ତାକୁ ଜାଣିବାକୁ ଏବେ ଲୋକେ ଅପେକ୍ଷା କରିଛନ୍ତି ।