କେଳେଙ୍କାରୀ ଅଭିଯୋଗ ପରେ ଚଢିଲା ବୁଲଡୋଜର, ମାଟିରେ ମିଶିଲା ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ବର : ବିଳମ୍ବିତ ରାତିରୁ ବୁହା ଚାଲିଥିଲା ବିଳାସପୂର୍ଣ ସାମଗ୍ରୀ । ସକାଳୁ ସକାଳୁ ଉଠିଲା ଡିଜି ସେଟ, ଏସି, ଫ୍ରିଜ । ମିନି ଟ୍ରକରେ ବୁହାହୋଇ ଖାଲି କରିବା ପରେ ୧୧ ଟା ୪୫ରେ କଟିଲା ବିଜୁଳି । ଆଉ ୧୨ ପରେ ଆଶ୍ରମ ଉପରେ ଚଢିଲା ବୁଲଡୋଜର । ମାଟିରେ ମିଶିଲା ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ । ଯେଉଁଠି ଦିନେ ହାରମୋନିୟମ, ମୃଦଙ୍ଗ ଓ ବଂଶୀ ସ୍ବରରେ ପ୍ରବଚନ ଶୁଭୁଥିଲା ସେଠି ଗୋଟିଏ ମୁହୂର୍ତ୍ତରେ ସବୁ ଭାଙ୍ଗି ଛାରଖାର ହୋଇଗଲା । ଆଶ୍ରମର ଫାଟକଠୁ ଆରମ୍ଭ କରି ପାଚେରୀ, ପ୍ରବଚନ ଦିଆଯାଉଥିବା ଅସ୍ଥାୟୀ ସେଡ, ରୋଷେଇ ଘର, ହଲ ସବୁ ଭାଙ୍ଗି ମାଟିରେ ମିଶିଗଲା । ୧୪୦ ଡିସମିଲ ବା ୭ ହଜାର ବର୍ଗଫୁଟ ପରିମିତ ଅଞ୍ଚଳ ଉପରେ ହୋଇଥିବା ବେଆଇନ ନିର୍ମାଣକୁ ଭାଙ୍ଗିଛି ପ୍ରଶାସନ । ହାଇକୋର୍ଟ ଷ୍ଟେ ଅର୍ଡର ହଟିବା ପରେ କିଛି ସମୟ ମାଗିଥିଲେ ଆଶ୍ରମ କର୍ତ୍ତୃପକ୍ଷ । କିନ୍ତୁ ପୂର୍ବରୁ ସମୟ ଦିଆଯାଇ ଥିବାରୁ ଆଉ ସମୟ ମିଳି ନଥିଲା ।
ଆଶ୍ରମ ଭଙ୍ଗାଯିବା ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖିବକୁ ମିଳିଥିଲା । ଏପରିକି ଆଶ୍ରମରୁ ବିଭିନ୍ନ ସାମଗ୍ରୀ ସ୍ଥାନାନ୍ତର କରିବା ସମୟରେ କୁନି କଳକୀ ପାଇଁ ଥିବା ବିଳାସପୂର୍ଣ୍ଣ ସାମଗ୍ରୀ ଯଥା ବଡି ମସାଜର ଆଦି ଦେଖିବାକୁ ମିଳିଥିଲା । ଯେଉଁଥିରେ ଫର ମହାପ୍ରଭୁ ଲେଖାଥିବା ଦେଖିବାକୁ ମିଳିଥିଲା । ଏପରିକି ଆଶ୍ରମ ପରିସରରୁ ଦାମୀ ବ୍ରାଣ୍ଡର ନେଲପଲିସ ତଥା ଅନ୍ୟ ବହୁ ସାମଗ୍ରୀ ଦେଖିବାକୁ ମିଳିଛି । ଅଧର୍ମ ବଢିଯିବାରୁ ବିନାଶ ହେଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ ଭକ୍ତ ଜଣଙ୍କ କାନ୍ଦି କାନ୍ଦି ଆଶ୍ରମ ସମ୍ମୁଖରେ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା। ଆଶ୍ରମର କେଳେଙ୍କାରୀ ପଦାକୁ ଆସିବା ପରେ ପୂର୍ବରୁ ବିଡିଏ ସରକାରୀ ଜମିରେ ଥିବା ଏହାକୁ ଭାଙ୍ଗିବାକୁ ନୋଟିସ କରିଥିଲା । ଆଶ୍ରମ ନିକଟରେ ବିଡିଏ, ବିଏମସି, ସାଧାରଣ ପ୍ରଶାସନ ଅଧିକାରୀ ଓ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟକୁ ବ୍ୟାପକ କରାଯାଇଥିଲା ।