ନବୀନଙ୍କ ପାଇଁ ଓଡ଼ିଶାରେ ଭିତ୍ତିଭୂମି ସୁଦୃଢ ହୋଇଛି : ବିଜେଡି

ଭୁବନେଶ୍ବର : ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିଛନ୍ତି । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ତରଫରୁ ତାଙ୍କୁ ଗସ୍ତକୁ ସ୍ବାଗତ କରୁଛି । ତେବେ ଆଜି ରାଜ୍ୟ ସରକାର ଖବର କାଗଜରେ ଦେଇଥିବା ବିଜ୍ଞାପନକୁ ନେଇ କଟାକ୍ଷ କରିଛି ବିଜେଡି। ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,  ଦିଆଯାଇଥିବା ବିଜ୍ଞାପନରେ ସରକାର ଅଧା ସୂଚନା ଦେଇଛନ୍ତି ।  ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ଉଲ୍ଲେଖ କରିଥିଲେ ବିଜ୍ଞାପନଟି ସଂପୂର୍ଣ୍ଣ ହୋଇଥାନ୍ତା  । ବିଜେଡି ସରକାରଙ୍କ ୨୪ ବର୍ଷରେ ଓଡ଼ିଶାରେ ଟେକ୍ନୋଲଜିର ଭିତ୍ତିଭୂମି ସଶକ୍ତ ହୋଇପାରିଛି । ଏହାର ଶ୍ରେୟ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର । ଯାହାର ମୂଳଦୁଆ ଉପରେ ଛିଡ଼ା ହୋଇ ବିଜେପି ସରକାର ନିଜ ଅଭିସନ୍ଧି ପୂରଣ କରିପାରୁଛନ୍ତି ।  ସେତେବେଳେ ଯଦି ଭବିଷ୍ୟତକୁ ଦେଖି ସିଙ୍ଗାପୁର ସହିତ ସମ୍ପର୍କ ବଢାଇନଥାନ୍ତେ, ତାହେଲେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତିଙ୍କୁ ଦେଖାଇବା ପାଇଁ କିଛି ନଥାନ୍ତା। ଆଜିର ସରକାର ଡବଲ ଡେକର ବସ ଭଳି ଉଦଘାଟନ ପରେ ବନ୍ଦ ହୋଇ ପଡ଼ିଛି । ନବୀନଙ୍କ ଉଦ୍ଯମରେ ଆଇଟିଆଇ ଓ ୱାର୍ଲଡ ସ୍କିଲ ସେଣ୍ଟର ସ୍ଥାପିତ ହୋଇପାରିଥିଲା । ଯେଉଁଥିରେ କେନ୍ଦ୍ରର କାଣିଚାଏ ଅବଦାନ ନାହିଁ । ସେଠାରୁ ପ୍ରତିଭାମାନଙ୍କୁ ସିଙ୍ଗାପୁର ପଠାଇ ଟ୍ରେନିଂ ଦିଆଯାଇଛି । ଯାହାଫଳରେ ଆଜି ଓଡ଼ିଶାର ତିନିଟି ଆଇଟିଆଇ ଭାରତର ପ୍ରମୁଖ ୧୦ ସ୍ଥାନ ଭିତରେ ଅଛି । ୱାର୍ଲ୍ଡ ସ୍କିଲ ସେଣ୍ଟରରେ ୧୨୦୦ କୋଟି ଟଙ୍କା ନବୀନ ସରକାର ନିବେଶ କରିଥିଲେ । ଏଥିରେ ପ୍ରତ୍ୟେକ ବର୍ଷ ୧୫୦୦ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ସବୁବେଳେ ନିନ୍ଦୁଥିବା ବ୍ୟକ୍ତି କାହିଁକି ଆଜି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉନାହାନ୍ତି ବୋଲି ପ୍ରଶ୍ନ କରିଛି ସେ ପ୍ରଶ୍ନ କରିଛନ୍ତି ।