ଆସନ୍ତା କାଲି ଠାରୁ ଚିଲିକାରେ ହେବ ପକ୍ଷୀ ଗଣନା: ୨୦ରୁ ଆରମ୍ଭ ହେବ ଡଲଫିନ ଗଣନା
ଆସନ୍ତା କାଲି ଠାରୁ ଚିଲିକାରେ ହେବ ପକ୍ଷୀ ଗଣନା । ୨୦ରୁ ଡଲଫିନ ଗଣନା ମଧ୍ୟ ଆରମ୍ଭ କରାଯିବ । ସକାଳ ୬ଟା ରୁ ମଧ୍ୟାହ୍ଣ ୧୨ ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି । ପ୍ରତି ଟିମରେ ୬ରୁ ୭ ଜଣ ଗଣନାକାରୀ ରହିବେ । ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ସ୍ପୋଟିଂ ସ୍କୋପ, ୱାକିଟକି, ନୋଟବୁକ ଆଦି ବ୍ୟବହାର କରାଯିବ । ଗଣନାରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହେବେ ବୋଲି
ଚନ୍ଦ୍ରାପୁଟ ସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ।
ଗଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଆଜି ଗଣନାକାରୀଙ୍କୁ ଚନ୍ଦ୍ରାପୁଟ ସ୍ଥିତ ସିଡିଏ ଗବେଷଣା କେନ୍ଦ୍ରରେ ତାଲିମ ପ୍ରଦାନ କରାଯିବ। ସେହିପରି ଚିଲିକାରେ ବିରଳ ଇରାୱାଡି ପ୍ରଜାତିର ଓ ସାତପଡ଼ା ମୁହାଣରେ ବଟଲ ରୋଜ ପ୍ରଜାତିର ଡଲଫିନ ଗଣନା ୨୦ ତାରିଖରୁ ଆରମ୍ଭ ହେବ । ୧୯ରେ ଡଲଫିନ ଅଭୟାରଣ୍ୟ ସାତପଡ଼ା ଓ ବାଲୁଗାଁ ଠାରେ ପୃଥକ ଭାବେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯିବ । ଡଲଫିନ ଗଣନା ନିମିତ୍ତ ସମୁଦାୟ ୨ଟି ରେଞ୍ଜ କରାଯାଇଛି । ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ । ଅନୁଷ୍ଠିତ ବୈଠକରେ ଡିଏଫଓ ଅମ୍ଳାନ ନାୟକ, ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜର ରଶ୍ମିତା ଜେନା, ଏସିଏଫ ପ୍ରମୋଦ ସେଠୀ, ବୈଜ୍ଞାନିକ ଆରଏମ ସାମଲ, ସିଡିଏ କର୍ତ୍ତୃପକ୍ଷ ମନୋରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।