ରାଜ୍ୟ ସରକାରଙ୍କ ଗଳାରେ ପେସା କଣ୍ଟା: ଆଦିବାସୀଙ୍କ ପାଇଁ କେବେ ଲାଗୁ ହେବ ପେସା ଆଇନ, କୁଆଡ଼େ ଗଲା ପୂର୍ବ ପ୍ରତିଶ୍ରୁତି….
1 min readଭୁବନେଶ୍ବର: କ୍ଷମତା ପାଇଁ ଆଦିବାସୀଙ୍କୁ ଦେଖାଇଥିଲେ ଲଲିପପ୍ । ଏବେ ବ୍ୟାକ ଫୁଟରେ ସରକାର । ଭୁଲିଗଲେ କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାରେ ପେସା ଆଇନ୍ ଲାଗୁ କରିବା କଥା । କୁଆଡ଼େ ଗଲା ବିଧାନସଭାରେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକଙ୍କ ପ୍ରତିଶ୍ରୁତି ? ରାଜ୍ୟରେ କେବେ ଲାଗୁ ହେବ ଆଦିବାସୀଙ୍କ ପାଇଁ ପଞ୍ଚାୟତ ଏକ୍ସଟେନ୍ସନ୍ ଟୁ ସିଡ୍ୟୁଲଡ୍ ଏରିଆ ଆଇନ ୧୯୯୬ ବା ପେସା ଆଇନ । ଖୋଦ ପଞ୍ଚାୟତିରାଜ ବିଭାଗ ସୂତ୍ରରୁ ଜଣାପଡ଼ିଛି ପେସା ପ୍ରତିଶ୍ରୁତି ବିଜେପି ସରକାର ପାଇଁ ବୁମେରାଂ ହେବାକୁ ଯାଉଛି । ଦେଖନ୍ତୁ ବିଜେପିର ୨୦୨୪ ନିର୍ବାଚନ ପ୍ରତିଶ୍ରୁତି । ସ୍ପଷ୍ଟ ଲେଖା ଅଛି କ୍ଷମତାକୁ ଆସିଲେ ପେସା ଲାଗୁ କରିବେ ।
ମୁଖ୍ୟମନ୍ତ୍ରୀ ହେବା ପରେ ସ୍ବାଧୀନତା ଦିବସ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେସା ପ୍ରତିଶ୍ରୁତି ଦେଲେ । ଗତବର୍ଷ ସେପ୍ଟେମ୍ବରରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଖୋଦ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଥିଲେ ରାଜ୍ୟ ସରକାର ଖୁବଶୀଘ୍ର ପେସା ଅଧିନିୟମ ବିଧାନସଭାରେ ଆଣିବେ । ହେଲେ ଏସବୁ ଏବେ ଧୂଆଁବାଣ ପରି ଜଣାପଡ଼ିଲାଣି । ଆଦିବାସୀଙ୍କ ହାତକୁ କ୍ଷମତା ଦିଆଯିବ । ଖଣି ଖାଦାନ ଭରା ଆଦିବାସୀ ଅଞ୍ଚଳରେ ସେମାନଙ୍କ ଗ୍ରାମସଭା ବିକାଶ ପାଇଁ ଯାହା ନକ୍ସା ପ୍ରସ୍ତୁତ କରିବ ତାକୁ ସରକାର କାର୍ଯ୍ୟକାରୀ କରିବେ । ୨୨ଟି ବିଷୟରେ ପଞ୍ଚାୟତକୁ କ୍ଷମତା ଦେବା ପାଇଁ ପେସା ଆଇନରେ ବ୍ୟବସ୍ଥା ରହିଛି । ଓଡ଼ିଶାରେ ୧୪ଟି ଅନୁସୂଚିତ ଜନଜାତି ଜିଲ୍ଲାରେ ଏହି ଆଇନ ଲାଗୁ ହେବ । ପେସା ଆଇନ ଲାଗୁ ହେଲେ ଗ୍ରାମସଭା ଯାହା ନିଷ୍ପତ୍ତି ନେବ ସରକାର ତାକୁ କାର୍ଯ୍ୟକାରୀ କରିବେ । ଯଦି ଏପରି ହୁଏ ତାହେଲେ ସରକାର ଯାହାକୁ ତାକୁ ଖଣି ଖାଦାନ ଓ ଆଦିବାସୀଙ୍କ ଜମି ହସ୍ତାନ୍ତର କରିପାରିବେ ନାହିଁ । ସରକାରଙ୍କ ଆଭିମୁଖ୍ୟ ଜାଣିବା ପରେ ଏବେ କଂଗ୍ରେସ କହିଛି, ଆସନ୍ତା ବଜେଟ୍ ଅଧିବେଶନରେ ପେସା ଆଇନ ଦାବିରେ ଗୃହକୁ ଅଚଳ କରାଯିବ ।
ଓଡ଼ିଶାରେ ପେସା ଆଇନ ଲାଗୁ କରିବା ନେଇ ଏ ସରକାରର ରାଜନୈତିକ ଇଚ୍ଛାଶକ୍ତି ନାହିଁ । ବିଶେଷଜ୍ଞଙ୍କ ଅଭିଯୋଗ, ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ସଂପ୍ରଦାୟରୁ ପ୍ରତିନିଧିତ୍ବ କରି ବି ଆନ୍ତରିକତା ଦେଖାଇବା ଭଳି ଲାଗୁ ନାହିଁ । ରାଜ୍ୟରେ ଆଦିବାସୀ ବହୁଳ ଇଲାକାରେ ସବୁ ଖଣି ଖାଦାନ ରହିଛି । ଯଦି ପେସା ଆଇନ୍ ଲାଗୁ ହେବ ତାହେଲେ ଗ୍ରାମସଭା ଖଣି ଖାଦାନ ଖୋଳିବାକୁ କେବେ ବି ଅନୁମତି ଦେବନି କି ଜଙ୍ଗଲ ଓ ପରିବେଶ ମଞ୍ଜୁରି ମିଳିବନି । ଖଣି ମାଲିକଙ୍କ ଲବି ଏତେ ଜୋର ଯେ, ସରକାର ପେସା ଆଇନ ଲାଗୁ କରିବାକୁ ଚାହୁଁନାହାନ୍ତି । ଗତ ନଭେମ୍ବରରେ କେନ୍ଦୁଝରରେ ପୋସ୍କୋ ଓ ଜେଏସଡ୍ବ୍ଲୁର ମିଳିତ ଯୌଥ ଉଦ୍ୟୋଗରେ ବାର୍ଷିକ ୫ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ । ଆସନ୍ତା ଉତ୍କର୍ଷ ଓଡ଼ିଶା ବା ମେକ ଇନ୍- ଓଡ଼ିଶା କନକ୍ଲେଭରେ ଏ ନେଇ କମ୍ପାନୀ ଓ ରାଜ୍ୟ ସରକାରଙ୍କ ଭିତରେ ଏମ୍ଓୟୁ ସ୍ବାକ୍ଷର ହେବାର ଅଛି । ଯଦି ପେସା ଆଇନ ଲାଗୁ ହୋଇଥାନ୍ତା, ତା ହେଲେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ହେବା କଷ୍ଟକର ବ୍ୟାପାର ହୋଇଥାନ୍ତା । ତେବେ ପେସା ଆଇନ୍ର ଦିଗକୁ ତର୍ଜମା କରାଯାଉଥିବା କହିଛନ୍ତି ବିଜେପି ନେତା ।
ଓଡିଶାର ଆଦିବାସୀଙ୍କ ବିଶ୍ବାସ ଜିତିବା ପାଇଁ ଇସ୍ତାହାରରେ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ ପେସା କଣ୍ଟା ସରକାରଙ୍କ ଗଳାରେ ଅଟକିଛି । ଶୁଣାଯାଉଛି ମୂଳ ପେସା ଆଇନକୁ ବଦଳାଇ ସରକାରଙ୍କୁ ସୁହାଇଲା ଭଳି ଆଉ ଗୋଟିଏ ଆଇନ ଆଣିବା ପାଇଁ ସରକାର ଚଳାଇଛନ୍ତି ମସୁଧା । ଯାହା ହେଲେ ବି ଡବଲ ଇଞ୍ଜିନ ସରକାରଙ୍କ ଆଦିବାସୀଙ୍କ ପ୍ରତି ଏଭଳି ଜୁମଲାବାତି ଆଗାମୀ ଦିନରେ ବିଜେପି ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି ।