ଥମୁନି ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବିବାଦ: ବିନା ଟ୍ରାଏଲରେ ହେବ ଧାଡ଼ଇ ଦର୍ଶନ
ପୁରୀ: ଶ୍ରୀମନ୍ଦିରେ ଧାଡ଼ି ଦର୍ଶନକୁ ନେଇ ଥମିବାର ନାଁ ନେଉନି ବିବାଦ । ଆସନ୍ତା ୨୦ ତାରିଖରୁ ଧାଡ଼ି ଦର୍ଶନ ଆରମ୍ଭ ହେବା ନେଇ ପୁଣି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ । ପୂର୍ବରୁ ଟ୍ରାଏଲ ରନ୍ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବାକୁ ଘୋଷଣା ହୋଇଥିଲା । ହେଲେ ଏବେ ବିନା ଟ୍ରାଏଲ ରନରେ ଧାଡ଼ି ଦର୍ଶନ ଆରମ୍ଭ ହେବ । ଏପରି ହେଲେ ଦର୍ଶନ ବ୍ୟବସ୍ଥାର ବାସ୍ତବିକ ଚିତ୍ର ଜାଣି ପାରିବେ ନାହିଁ ରାଜ୍ୟ ସରକାର । ଯାହା ଭକ୍ତଙ୍କୁ ଅସୁବିଧାରେ ପକାଇବ ବୋଲି ମତ ରଖିଛନ୍ତି ସେବାୟତ ।
ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ। ସବୁ ବ୍ୟବସ୍ଥା ସରିଥିବା ନେଇ ରାଜ୍ୟ ସରକାରଙ୍କ ଦାବି। ଏହାଦ୍ବାରା ଦର୍ଶନ ଶୃଙ୍ଖଳିତ ହେବ ବୋଲି ଲକ୍ଷ୍ୟ ରଖିଛନ୍ତି ସରକାର । ହେଲେ ଧାଡ଼ି ଦର୍ଶନ ଏବେ ସବୁଠାରୁ ବିବାଦୀୟ ମୋଡ଼ରେ ଛିଡ଼ା ହୋଇଛି । ପୂର୍ବରୁ ନୂଆ ବର୍ଷରୁ ଧାଡ଼ି ଦର୍ଶନ ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର । ଏହା ପୂର୍ବରୁ ଡିସେମ୍ବର ୨୭ ଓ ୨୮ରେ ହୋଇଥାନ୍ତା ଟ୍ରାଏଲ ରନ୍ । ହେଲେ ନୂଆ ବର୍ଷରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥଗିତ ରହିଥିଲା ଧାଡ଼ି ଦର୍ଶନ ବ୍ୟବସ୍ଥା । ବହୁ ମାନସ ମନ୍ଥନ ପରେ ଏବେ ଜାନୁଆରୀ ୨୦ରୁ ଧାଡ଼ି ଦର୍ଶନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିପାଇଁ ଜାନୁଆରୀ ୧୭ ଓ ୧୮ରେ ହୋଇଥାନ୍ତା ଟ୍ରାଏଲ ରନ୍ । କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଧାଡ଼ି ଦର୍ଶନର ତାରିଖ ସ୍ଥିର ହୋଇ ନଥିବା କହିଥିଲେ । ଶେଷରେ ବିନା ଟ୍ରାଏଲ ରନରେ ଏହି ବ୍ୟବସ୍ଥା ଲାଗୁ କରିବାକୁ କହିଛନ୍ତି ଆଇନମନ୍ତ୍ରୀ । ତେବେ ବିନା ଟ୍ରାଏଲ କିଭଳି ଦର୍ଶନ ଶୃଙ୍ଖଳିତ ହେବ, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।
ମୁଖ୍ୟ ପ୍ରଶାସକ ଓ ଆଇନମନ୍ତ୍ରୀଙ୍କ ମତ ପାର୍ଥକ୍ୟ ଯୋଗୁଁ ଧାଡ଼ି ଦର୍ଶନର ବିବାଦୀୟ ଦିଗ ଅନେକ ପ୍ରଶ୍ନ ଠିଆ କରିଛି । ସେବାୟତମାନେ ବିଭିନ୍ନ ଦିଗକୁ ଦେଖି ଟ୍ରାଏଲ୍ ରନ୍ ପାଇଁ ଦାବି କରିଛନ୍ତି । ଦୁଇରୁ ତିନି ଦିନ ଟ୍ରାଏଲ ରନ୍ କରା ନଗଲେ, ଦର୍ଶନର ସ୍ଥିତି ଓ ଭକ୍ତଙ୍କ ଅସୁବିଧା ସମ୍ପର୍କରେ ରାଜ୍ୟ ସରକାର ଅବଗତ ହୋଇପାରିବେ ନାହିଁ । ଧାଡ଼ି ଦର୍ଶନ ପାଇଁ ହୁଣ୍ଡି କେଉଁଠିକୁ ସ୍ଥାନାନ୍ତର ହେବ, ସେ କଥା ବି ଏଯାଏଁ ସ୍ପଷ୍ଟ ହୋଇନି । ଧାଡ଼ି ଦର୍ଶନରେ ଏକା ସଙ୍ଗେ କେତେ ଭକ୍ତ ଯାଇ ପାରିବେ, ତାହା ବି ଅସ୍ପଷ୍ଟ ରହିଛି । ବର୍ତ୍ତମାନ ଘଣ୍ଟାକୁ କେତେ ଭକ୍ତ ଦର୍ଶନ କରୁଛନ୍ତି, ତାହାର ବି ଚିଠା ନାହିଁ । ପୁଣି ମନ୍ଦିର ବାହାରେ ଭକ୍ତଙ୍କ ସଂଖ୍ୟା ବଢ଼ିଲେ, ସ୍ଥିତି ଆହୁରି ଅସମ୍ଭାଳ ହେବ । ଯେପରି ଚାରି ଦ୍ବାର ଖୋଲିବା ପରେ ଶ୍ରୀମନ୍ଦିର ଭିତରେ ଭିଡ଼ ଅସମ୍ଭାଳ ହୋଇଥିଲା, ଟ୍ରାଏଲ ରନ୍ ନହେଲେ ଭିଡ଼ର ଅନୁମାନ ଲଗାଇ ହେବ ନାହିଁ ବୋଲି ମତ ରଖିଛନ୍ତି ସେବାୟତ ।
ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି । ମନ୍ଦିର ଭିତରର ଆନୁଷଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆ ନଯାଇ, ଯଦି ବାହାଃ ବାହାଃ ନେବାକୁ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯାଏ, ତେବେ ଏହା ଭକ୍ତଙ୍କ ଭିତରେ ଅସନ୍ତୋଷ ବଢ଼ାଇବାର ସମ୍ଭାବନା ରହିଛି ।