ବାପାର ଛୁରା ମାଡ଼ରେ ପୁଅର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିଙ୍ଗମିଲା ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ହତ୍ୟା । ବାପାର ଛୁରା ମାଡ଼ରେ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ ।ସେପଟେ ହତ୍ୟାକାରୀ ବାପା ବାଲିଗୁଡ଼ା ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ମୃତକ ୨୦ ବର୍ଷର ପୁଅ ଜିତେନ୍ଦ୍ର ମଲ୍ଲିକ ହୋଇଥିବା ବେଳେ ଅଭିଯୁକ୍ତ  ବାପା ପ୍ରାଣେଶ୍ବର ମଲ୍ଲିକ । ଆଜି ଭୋର ସମୟରେ କୌଣସି କାରଣରୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ଉଗ୍ର ହୋଇଥିଲା ଯେ, ଉତ୍ୟକ୍ତ ପ୍ରଣେଶ୍ବର ଛୁରୀରେ ପୁଅ ଜିତେନ୍ଦ୍ରର ପେଟକୁ ଆକ୍ରମଣ କରିଥିଲା । ଜୀବନ ବିକଳରେ ଜିତେନ୍ଦ୍ର ସେଠାରୁ ଦୌଡ଼ି ଆସି ସମ୍ପର୍କୀୟଙ୍କ ଘରେ ପହଁଚିବା ପରେ ସେଠାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ ପହଁଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।