ଦିନକୁ ଦିନ ବଢୁଛି ଲସଏଞ୍ଜେଲେସ ନିଆଁ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢୁଛି ଲସଏଞ୍ଜେଲେସ ନିଆଁ । ହଜାର ହଜାର ଘର ଜଳିପୋଡି ପାଉଁଶ ହୋଇଯାଇଥିବାବେଳେ ମୃତକଙ୍କ ସଂଖ୍ଯା ପହଞ୍ଚିଛି ୧୧ରେ । ଏହାକୁ ଲିଭାଇବା ଲାଗି ସମସ୍ତ ଉଦ୍ଯମ ବ୍ଯର୍ଥ ହେଉଛି । ଶୁଷ୍କ ଓ ଗରମ ପବନ ପ୍ରବାହିତ ହେବା ଯୋଗୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମୃତ୍ଯୁ ସଂଖ୍ଯା ବହୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ପାସିଫିକ ପାଲିସେଡେସର ୨୦୦ ଏକରରୁ ଅଧିକ ସ୍ଥାନରେ ଅଗ୍ନିକାଣ୍ଡ ଜାରି ରହିଛି । ଏଠାକାର ପ୍ରାୟ ୫ ହଜାର ଘର, ସ୍ଥଳୀ ଧ୍ବଂସ ହୋଇଯାଇଛି । ପ୍ରାୟ ୨୭ ବର୍ଗ କିଲୋମିଟର ଇଲାକାରେ ଧ୍ବଂସଲୀଳା ଜାରି ରହିଛି । କାଲାବାସାସ, ସାଣ୍ଟାମୋନିକା, ୱେଷ୍ଟହିଲ୍ସରୁ ପ୍ରାୟ ୨ ଲକ୍ଷ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି । ହଲିଉଡ ତାରକା, ମାର୍କ ହାମିଲ, ମାଣ୍ଡି ମୋରେ, ପ୍ଯାରିସ ହିଲଟନଙ୍କୁ ବି ଘର ଛାଡିବାକୁ ପଡିଛି । ଲସ୍ ଏଞ୍ଜେଲସ ଇତିହାସରେ ଏହା ସବୁଠାରୁ ବଡ ଦୁର୍ବିପାକ ବୋଲି କୁହାଯାଉଛି । ନିଆଁଲିଭା କାର୍ଯ୍ୟରେ ପ୍ରାୟ ୭ ହଜାର ୫୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । କାଲିଫର୍ଣ୍ଣିଆରେ ୧୪୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ପରିମାଣ ପ୍ରାୟ ୧୫୦ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ସପଟେ ପବନର ବେଗ ଘଣ୍ଟା ପ୍ରତି ୧୧୨ କିଲୋମିଟର ରହୁଥିବାରୁ ସ୍ଥିତି ଅତ୍ଯନ୍ତ ଜଟିଳ ହୋଇଛି ।