‘ଖରାପ ଧାନ ନୁହେଁ, FAQ ମାନର ଧାନ କିଣିବେ ସରକାର’
1 min readଭୁବନେଶ୍ବର : ଧାନ କିଣାରେ ସରକାରଙ୍କ ନୂଆ କେଁ । FAQ ଆଳରେ ଚାଷୀଙ୍କ ବିରୋଧରେ ଷଡ଼ଯନ୍ତ୍ର । ଯୋଗାଣ ମନ୍ତ୍ରୀ କହିଲେ ନେବୁନି ଖରାପ ଧାନ । ବର୍ଷିଲା ବିଜେଡି, ଚାଷୀଙ୍କ ପାଇଁ ଶାଣିତ କଲା ସ୍ବର ।.. ..ଭଲ କ୍ୱାଲିଟିର ଧାନ ଆଣିଲେ ଭଲ କ୍ୱାଲିଟିର ପଇସା ନେବେ । ଖରାପ ଧାନକୁ ମଣ୍ଡିକୁ ଆଣନାହିଁ । ସରକାର ସେ ଧାନ କିଣିବେ ନାହିଁ। ମଣ୍ଡିରେ ଧାନ ଉଠୁନାହିଁ, ଚାଷୀ ହନ୍ତସନ୍ତ ହେଉଥିବା ବେଳେ ଚାଷୀଙ୍କୁ ଏପରି ଚରମବାଣୀ ଶୁଣାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି କେବଳ FAQ ମାନର ଧାନ କିଣିବେ ସରକାର । ତେଣୁ FAQ ମାନର ଧାନ ଛଡ଼ା ଖରାପ ଧାନ ମଣ୍ଡିକୁ ନଆଣିବାକୁ ଚାଷୀଙ୍କୁ ଖୋଲାଖୋଲି କହିଛନ୍ତି ମନ୍ତ୍ରୀ । ଏହାସହ ଧାନ କିଣାରେ ମଣ୍ଡିରେ ହେଉଥିବା ଗଣ୍ଡଗୋଳ କଥାକୁ ମଧ୍ୟ ସ୍ବୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟ ସରକାର ଏଯାଏ ୨୩ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି । ଆଗକୁ ଧାନ ସଂଗ୍ରହ ଭଲ ଭାବେ ଚାଲିବ ବୋଲି ସେ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନକୁ ସରକାର କିଣିବେନି ବୋଲି କହିଛନ୍ତି । ପୂର୍ବରୁ ସରକାର କହିଥିଲେ ଯେ ସବୁ ଧାନ ଚାଷୀଙ୍କ ଠାରୁ କିଣିବେ, ଏପରିକି ଅଦିନିଆ ବର୍ଷାରେ ଧାନ ରଙ୍ଗ ପରିବର୍ତ୍ତନ ହୋଇଥିଲେ ଧାନ ସରକାର କିଣିବେ ବୋଲି କହିଥିଲେ । ଏବେ ପୁଣିଥରେ ଧାନ କିଣିବେନି ବୋଲି କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।
ସେପଟେ ଧାନ କିଣା ନେଇ ରାଜ୍ୟ ସରକାର ବାରମ୍ବାର ମତ ବଦଳାଇବାକୁ ନେଇ ବର୍ଷିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିଯୋଗ କରିଛନ୍ତି ଯେ FAQ ମାନ ଆଳ ଦେଖାଇ ଚାଷୀଙ୍କ ବିରୋଧରେ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି। ଧାନ ନକିଣିବା ପାଇଁ FAQ ମାନକୁ ଢାଲ କରାଯାଇଛି । ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟ ଯୋଗୁଁ ଚାଷୀ ଅଭାବୀ ଧାନ ବିକ୍ରି କରୁଛନ୍ତି । ମିଲରେ ଧାନ କିଣାଯାଉନାହିଁ । ସବୁଠି ଚାଷୀ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ଏଯାଏ ମାତ୍ର ୩୦ ପ୍ରତିଶତ ଧାନ କିଣିଛନ୍ତି । ତାହା ପ୍ରମାଣିତ କରିଛି ଧାନ କିଣାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ନିଜ ଘୋଷଣା ଅନୁସାରେ ସରକାର ଧାନ ନକିଣି ଚାଷୀଙ୍କୁ ଧୋକା ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ତୁରନ୍ତ ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରି ସର୍ବଦଳୀୟ ବୈଠକ ଡକାନ୍ତୁ ବୋଲି ବିଜେଡି ଦାବି କରିଛି । ଯୋଗାଣ ମନ୍ତ୍ରୀ ପୂର୍ବରୁ ବାହାସ୍ଫୋଟ ମାରୁଥିଲେ, ଏବେ ରାଜ୍ୟର ୬ ଲକ୍ଷ ଚାଷୀଙ୍କୁ କାହିକି ହତାଶ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । କଂଗ୍ରେସ ମଧ୍ୟ ଧାନ କିଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । E-KYC ପରି FAQ ଆଳ ଦେଖାଇ ଚାଷୀଙ୍କୁ ହତାଶ କରୁଛନ୍ତି ରାଜ୍ୟ ସରକାର । ମିଲର ଧାନ କିଣୁନଥିବାରୁ ରାଜ୍ୟ ସାରା ଚାଷୀ ହଇରାଣ ହେଉଛନ୍ତି । ଠିକ ଏତିକିବେଳେ ଯୋଗାଣ ମନ୍ତ୍ରୀଙ୍କ ଧାନ କିଣା ବୟାନ ଧାନମଣ୍ଡି ସମସ୍ୟାରେ ନିଆଁ ଲଗାଇଛି ।