ଦୁର୍ଗନ୍ଧରେ ସରିଲା ପ୍ରବାସୀ ଭାରତୀୟ ସମ୍ମିଳନୀ, ମୃତ ସହଦେବଙ୍କୁ ନ୍ୟାୟ ଦାବିରେ ଦୁଇଦିନ ଭୁବନେଶ୍ବରରୁ ଉଠିଲାନି ଅଳିଆ

ଭୁବନେଶ୍ବର : ପ୍ରବାସୀ ଦିବସ, ପରିମଳ ଓ ପଚାଗନ୍ଧ । ବୁଲିଲାନି ଝାଡୁ, ଉଠିଲାନି ଅଳିଆ । ଦୁର୍ଗନ୍ଧରେ ଶେଷ ହେଲା ସମ୍ମିଳନୀ । ଫେଲ ମାରିଲା ରାଜ୍ଯ ସରକାରଙ୍କ ପିବିଡି ସ୍ବଚ୍ଛ ନାରା । ନାକ ହାତ ଦେଇ ଘରେ ରହିଲେ ଭୁବନେଶ୍ୱର ବାସିନ୍ଦା । ପିବିଡି ଲାଗି ରାଜରାସ୍ତା ଚକାଚକ ହେଲେ ଗଳିକନ୍ଦରେ କୁଢ଼ କୁଢ଼ ଅଳିଆ । ଭୁବନେଶ୍ୱର ସଫେଇ ମଜଦୂର ସଙ୍ଘର ସମ୍ପାଦକ ସହଦେଵ ନାୟକଙ୍କ ହତ୍ୟା ପରେ ଝାଡୁଛାଡ ଆନ୍ଦୋଳନ । ସଫେଇ କର୍ମୀଙ୍କ ସୁଖ ଦୁଃଖର ସାଥୀ ଥିଲେ ସହଦେଵ । ସଫେଇ ଏଜେନ୍ସି ହେଉ କି ଦରମାକୁ ନେଇ କେହି ନାଲିଆଖି ଦେଖାଇଲେ ସହଯୋଗରେ ଛିଡା ହେଉଥିଲେ । ତାଙ୍କୁ ହତ୍ଯା ପରେ ନ୍ୟାୟ ଦାବିରେ ବିଏମସି କାର୍ଯ୍ୟାଳୟ ଘେରାଉ କରିଥିଲେ ଶତାଧିକ ସଫେଇ କର୍ମୀ । ଆଉ ଯେଉଁ ୱାର୍ଡରେ ବି ସଫେଇ ହେଉଥିଲା ହାତଯୋଡି ଅଟକାଇ ଥିଲେ । ପୋଲିସର ପାରିବା ପଣିଆ ଓ ସରକାର ଆଭିମୁଖ୍ୟକୁ ନେଇ ବର୍ଷିଥିଲେ ସଫେଇ କର୍ମୀ । ରାଜଧାନୀରେ ରାତି ପାହିଲେ ଝାଡୁ ଧରିବାକୁ ଡର ଲାଗୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

୪ ଦଫା ଦାବି ନେଇ ମେୟରଙ୍କ ସହ ଭୁବନେଶ୍ୱର ସଫେଇ ମଜଦୂର ସଂଘ ୧୦ ଜଣିଆ ପ୍ରତିନିଧି ଓ ସହଦେଵଙ୍କ ପରିବାର ସହ ଆଲୋଚନା ହୋଇଥିଲା । ସିବିଆଇ ତଦନ୍ତ, ପରିବାରଙ୍କୁ ସୁରକ୍ଷା ଓ ସହଦେବଙ୍କ ପତ୍ନୀଙ୍କୁ ସ୍ଥାୟୀ ଚାକିରୀ, ୩୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବି କରିଥିଲେ କର୍ମଚାରୀ । ମେୟର ଓ ଭୁବନେଶ୍ୱର ମୁନୁସିପାଲିଟ ମଜଦୂର ସଙ୍ଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ଯାହୃତ ହୋଇଛି । ଶନିବାର ଠାରୁ ସଫେଇ କାର୍ଯ୍ଯରେ ଯୋଗ ଦେବେ ସମସ୍ତ କର୍ମଚାରୀ । ମୃତ ସହଦେବଙ୍କ ପତ୍ନୀଙ୍କୁ ଠିକା ଏଜେନ୍ସିରେ ସୁପରଭାଇଜର ଭାବେ ମିଳିବ ଚାକିରୀ । ୩୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ନେଇ ରାଜ୍ୟ ସରକାରଙ୍କୁ ଲିଖିତ ଆକାରରେ ଜଣାଇବ ବିଏମସି ।ତେବେ ଦେଖିବାର କଥା ମୃତ ସହଦେବ ଓ ତାଙ୍କ ପରିବାରକୁ କେବେ ନ୍ଯାୟ ଦେଉଛନ୍ତି ରାଜ୍ଯ ସରକାର ।