ହଜିଗଲାଣି କେନ୍ଦରା ବାଦ୍ୟ, କୂଳ ବେଉଶା ପ୍ରତି ମୁହଁ ଫେରାଇଲେଣି କେନ୍ଦରା ବାଦକ
ପୁରୁଷୋତ୍ତମପୁର : ଗାଁ ଦାଣ୍ଡରେ ଆଉ ଶୁଭୁନି କେନ୍ଦରା ବାଦ୍ୟ । କି ଶୁଭୁନି ସୁମଧୁର ଲୋକ ସଙ୍ଗୀତ । ଆଧୁନିକତାର ଛାପରେ ମିଳେଇଯାଇଛି ପୁରୁଣା ଲୋକ ସଂସ୍କୃତି । ଏହି ବାଦ୍ୟ ବଜାଇବା ତ ଦୂରର କଥା ଏହି ଲୋକ କଳା ଶିଖାଇବାକୁ ଗୁରୁନାହାନ୍ତି । ଧିରେ ଧିରେ ଏଭଳି ନିଆରା ବାଦ୍ୟଯନ୍ତ୍ର ବଜାଇବା ପ୍ରତି ମୁହଁ ଫରାଇଲେଣି କଳାକାର । ଆଜିକୁ ପ୍ରାୟ ୩୦ ବର୍ଷ ପୂର୍ବେ ଗାଁ ଗହଳିରେ ସଭିଙ୍କର ପ୍ରିୟ ବାଦ୍ୟ ଥିଲା କେନ୍ଦରା । କେନ୍ଦରା ବାଦ୍ୟକୁ ଶୁଣିବା ପରେ ଲୋକେ ଖୁସି ହୋଇ ବାଦକଙ୍କୁ ଟଙ୍କା କିମ୍ବା ଚାଉଳ ଦେଉଥିଲେ । କେନ୍ଦରା ବଜାଇ କଳାକାର ନିଜର ଗୁଜୁରାଣ ମେଣ୍ଟାଉଥିଲେ । କେନ୍ଦରା ବାଦ୍ୟର ଆଉ ଚାହିଦା ନଥିବାରୁ ଏହାକୁ ନେଇ ପରିବାର ପ୍ରତିପୋଷଣ କରିବା କଷ୍ଟକର । ଏଥିରୁ ନିବୃତ୍ତ ରହି ପେଟପାଟଣା ପାଇଁ ଅନ୍ୟ ରାସ୍ତା ଆପଣାଉଥିବା କହିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର କିଛି କେନ୍ଦରା ବାଦକ।
କେନ୍ଦରା ବାଦ୍ୟ ସହ ଯେଉଁ ସଙ୍ଗୀତ ପରିବେଷଣ କରାଯାଉଥିଲା ତାହା ଥିଲା ନାଥ ସମ୍ପ୍ରଦାୟର ଗୀତ । ଖ୍ରୀଷ୍ଟ ପୂର୍ବ ୧୨୦୦ ମଧ୍ୟରେ ଗୋରଖନାଥ କେନ୍ଦରା ବାଦ୍ୟ ଗୀତକୁ ଆରମ୍ଭ କରିଥିଲେ ବୋଲି ପୌରାଣିକ ମତ ରହିଛି । ସେହି ସମୟରେ ନାଥ ସମ୍ପ୍ରଦାୟର ଲୋକେ କେନ୍ଦରା ବାଦ୍ୟ ସହ ଗୀତ ମାଧ୍ୟମରେ ଏ ସଂସାର ହେଉଛି କ୍ଷଣସ୍ଥାୟୀ, ଏଠି ଗର୍ବ, ମାନ ଅଭିମାନର ସ୍ଥାନ ନାହିଁ । କେବଳ ଭଗବାନ ହିଁ ସର୍ବେ ସର୍ବା ବୋଲି ବାର୍ତ୍ତା ପ୍ରଚାର କରୁଥିଲେ । ପୁରୁଣା ସଂସ୍କୃତି ଓ ଲୋକ କଳାକୁ ଛାଡ଼ି ଦାନନ ଖଟି ବାହାର ରାଜ୍ୟକୁ ବାହୁରୁଛନ୍ତି କଳାକାର । ସରକାର କେନ୍ଦରା ବାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ପଦକ୍ଷେପ ନେଲେ ଏହି ଲୋକକଳା ପୁଣି ଉଜ୍ଜିବିତ ହୋଇପାରିବ।