ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ; ଉତ୍କଳ ମାଟିରୁ ମୋଦିଙ୍କ ବିଶ୍ବ ଶାନ୍ତିର ବାର୍ତ୍ତା

ଭୁବନେଶ୍ଵର: ଭୁବନେଶ୍ଵର ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ନରେନ୍ଦ୍ର ମୋଦି । ଓଡ଼ିଶାରୁ ବିଶ୍ୱକୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ମୋଦି । ସେ କହିଛନ୍ତି, ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ । ଉତ୍କଳ ମାଟିରୁ ମୋଦିଙ୍କ ବିଶ୍ବ ଶାନ୍ତିର ବାର୍ତ୍ତା । ଭାରତର ସମୃଦ୍ଧ ପ୍ରତିବିମ୍ବ ଓଡ଼ିଶାର ମହାନ ଭୂମି । ମଞ୍ଚରେ ଶାନ୍ତି ଓ ମୈତ୍ରୀର କଥା କହିବା ସହ ଓଡ଼ିଶାର ଐତିହ୍ୟ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ବିଖ୍ୟାତ କରିବା ଲାଗି ବଡ଼ ପଦକ୍ଷେପ ନେଇଛନ୍ତି ମୋଦି ।  ଭଗବାନ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପବିତ୍ର ମାଟିରେ ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କରିବା ମୋ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଥିବା ଧଉଳି ସ୍ତୁପ ସାରା ବିଶ୍ଵ ପାଇଁ ଶାନ୍ତିର ପ୍ରତୀକ। ସମ୍ରାଟ ଅଶୋକ ଏଠି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ। ସମ୍ରାଟ ଅଶୋକ ଓଡ଼ିଶାରୁ ହିଁ ଅହିଂସାର ରାସ୍ତା ଦେଖିଥିଲେ । ତେଣୁ ଭବିଷ୍ୟତ ଯୁଦ୍ଧରେ ନାହିଁ ବୁଦ୍ଧରେ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ସୁଦୂର ବାଲିରେ ବାଲିଯାତ୍ରାର ଗାଥା କହି କଟକ ଓ ବାଲିଯାତ୍ରାକୁ ବିଶ୍ୱର ନଜରକୁ ଆଣିଥିଲେ ମୋଦି । ୧୯୪୭ ଭାରତ ସ୍ଵାଧୀନତା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଆଗକୁ ଆସୁଛନ୍ତି ପ୍ରବାସୀ ଭାରତୀୟ । ପ୍ରବାସୀ ମାନେ ଅନ୍ୟ ଦେଶ ସହ ଭାରତରେ ମଧ୍ୟ ନିବେଶ କରୁଛନ୍ତି । ଫଳରେ ୨୦୪୭ ସୁଦ୍ଧା ସଫଳତାର ଶୀର୍ଷ ଛୁଇଁବାକୁ ଭାରତ ଲକ୍ଷ୍ୟ ରଖିଥିବା କହିଛନ୍ତି ମୋଦି । ସେପଟେ ବ୍ରାଣ୍ଡ ଓଡିଶାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଓ ପ୍ରବାସୀ ସମ୍ମିଳନୀ ଭଳି ଆନ୍ତର୍ଜାତୀକ ଉତ୍ସବ ଓଡ଼ିଶାରେ ଆୟୋଜନ କରିବାର ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାରେ ଥିବା ଅପାର ସମ୍ଭାବନା ଓ ସୁଯୋଗରୁ ଫାଇଦା ନେବାକୁ ଇଛା ପ୍ରକାଶ କରିଛନ୍ତି କିଛି ପ୍ରବାସୀ ଭାରତୀୟ। ଡିଜିଟାଲ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ମନ ବଳାଇଛନ୍ତି ଭିଜନ ଡିଜିଟାଲ ଇଣ୍ଡିଆର ଅଧ୍ୟକ୍ଷ ଡ ହରିକୃଷ୍ଣ ମାରାମ।  ସେହିଭଳି ଓଡ଼ିଶାରେ ଥିବା ସୁଯୋଗକୁ ନେଇ ପ୍ରବାସୀ ଭାରତୀୟ ମାନେ ମଧ୍ୟ ସ୍ବାଗତ କରିଛନ୍ତି ।

ନଜର ପକାନ୍ତୁ