ବର୍ଷା ପାଣିରେ ଭାସୁଥିବା ଫସଲ ଦେଖି ଆଖି ବୁଜିଲେ ଆଉ ଜଣେ ଚାଷୀ

ଖୋର୍ଦ୍ଧା: ଯାଜପୁର ପରେ ଖୋର୍ଦ୍ଧାରେ ଉଜୁଡା ଚାଷକୁ ଦେଖି ଚାଲିଗଲା ଚାଷୀଙ୍କ ଜୀବନ । ବାଣପୁରରୁ ଆସିଛି ଏମିତି ହୃଦୟ ବିଦାରକ ଖବର । ପାଣିରେ ବୁଡିଥିବା ଫସଲ ଦେଖି ବିଲରେ ଟଳି ପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଚାଷୀ । ମୃତ ଚାଷୀ ହେଲେ କୁମାରାଙ୍ଗ ପଞ୍ଚାୟତ ଏକଡାଳିଆ ଗାଁର ମେଘନାଦ ଦଳବେହେରା ।

ଅଭିଯୋଗ ଅନୁସାରେ, ବିଲରେ ଧାନ ପାଚି ସାରିଥିଲା । ତାକୁ କାଟି ଜମିରେ ପକାଇଥିଲେ ମେଘନାଦ । ହେଲେ ଉଠାଇ ଘରକୁ ଆଣିବା ପୂର୍ବରୁ ଆରମ୍ଭ ହୋଇଗଲା ଅଦିନିଆ ଲଗାଣ ବର୍ଷା । ଫଳରେ ଆଉ ଅମଳ ଧାନ ବିଲରୁ ଘରକୁ ଆଣି ପାରିଲେନି । ସୋମବାର ଦିନ ଯାଇ ଦେଖିଥିଲେ ବିଲରେ ଆଣ୍ଠୁଏ ପାଣି ଆଉ ସେଥିରେ ଭାସୁଛି ଧାନ । ଯାହାକୁ ଦେଖି ସେହିଠାରେ ସଜ୍ଞାହୀନ ହୋଇ ପଡ଼ିଯାଇଥିଲେ ମେଘଦାନ । ତାଙ୍କୁ ତୁରନ୍ତ ଉଦ୍ଧାର କରି ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଉଜୁଡା ଫସଲ ଦେଖି ମନରେ ହତାଶ ଭାବ ଜାତ ହେବା ସହ ଦୁଃଖରେ ମ୍ରିୟମାଣ ହୋଇ ହୃଦଘାତରେ ମେଘନାଦଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ତହସିଲଦାରଙ୍କୁ ଯୋଗାଯୋଗ କରିବାରେ, ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ତେବେ କେବଳ କୁମାରାଙ୍ଗ ନୁହେଁ । ଗାଲୁଆ, ନନ୍ଦପୁର, ନରେନ୍ଦ୍ରପୁର ଓ ବିଷ୍ଣୁଡ଼ିହ ପଞ୍ଚାୟତରେ ମଧ୍ୟ ଅଦିନିଆ ବର୍ଷାରେ ବ୍ୟାପକ ଭାବେ ଫସଲହାନି ଘଟିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ବିଲକୁ ଯାଇଥିବା ବେଳେ ଉଜୁଡା କ୍ଷେତ ଦେଖି ହୃଦଘାତରେ ମଣିତାପୁର ଗାଁର ମଣିରାମ ମହାନ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।