ବ୍ରହ୍ନପୁର ମହାମାୟୀ ମହାବିଦ୍ୟାଳୟର ନୂଆ କ୍ୟାମ୍ପସରେ ଝୁଲୁଛି ତାଲା

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ନପୁର ମହାମାୟୀ ମହିଳା ମହାବିଦ୍ୟାଳୟ ନୂଆ କ୍ୟାମ୍ପସରେ ଝୁଲି ରହିଛି ତାଲା । କୋଟି କୋଟି ଟଙ୍କା ଅଟକଳରେ ନିର୍ମାଣ ଆରମ୍ଭ ହେଲା। କାମ ସରିବା ପରେ ଉଦଘାଟନ ହେଲା। ଉଦଘାଟନର ୯ ମାସ ବିତିବାକୁ ବସିଲାଣି ତଥାପି କାର୍ଯ୍ୟକ୍ଷମ ହୋଇପାରୁନି ନୂତନ କ୍ୟାମ୍ପସ କୋଠା ।ଏଥିରେ ଦୁର୍ନୀତିର ଅଭିଯୋଗ ବି ଆସିଛି।

ବ୍ରହ୍ନପୁର ମହାମାୟୀ ମହିଳା ମହାବିଦ୍ୟାଳୟ ନୂଆ କ୍ୟାମ୍ପସରେ ଝୁଲୁଛି ତାଲା । ଛାତ୍ରୀଙ୍କ ଶିକ୍ଷାରେ ଉପଯୋଗ ହୋଇପାରୁନି ଏହି ନୂଆ କୋଠା । ଉଦଘାଟନର ୯ ମାସ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି । ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଓ ଅନ୍ଯାନ୍ଯ ସମସ୍ୟା ଦୃଷ୍ଟିରୁ ନୂଆ କ୍ୟାମ୍ପସ ପାଇଁ ପୂର୍ବ ସରକାର ୨୦୨୨ ମସିହାରେ ମୀନାକ୍ଷୀ ନଗର ଅଞ୍ଚଳରେ ୨.୦୬୩ ଏକର ଜମି ଦେଇଥିଲେ। ବିଶ୍ୱବ୍ୟାଙ୍କର ୫କୋଟି ୫୪ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ ହେଲା ମହାମାୟୀ ମହାବିଦ୍ୟାଳୟର ଦ୍ଵିତୀୟ ବା ଡିଗ୍ରୀ କ୍ୟାମ୍ପସ । ୨୦୨୪ ମାର୍ଚ୍ଚ ୧୪ ତାରିଖରେ ପୂର୍ବ ସରକାର ଉଦଘାଟନ କରିଥିଲେ । ଏହାପରେ ବଦଳି ଯାଇଥିଲା ସରକାର । ଏବେ ଉଦଘାଟନକୁ ୯ ମାସ ବିତିଯାଇଥିଲେ ମଧ୍ୟ କୋଠାଟି କାର୍ଯ୍ୟକ୍ଷମ କରାଯାଇପାରୁନାହିଁ  । ବିଦ୍ୟୁତକରଣ ଅସମ୍ପୂର୍ଣ୍ଣ ଥିବା ବେଳେ ବିଦ୍ୟୁତ୍ ବିଲ୍ ବାବଦକୁ ମାସିକ ପ୍ରାୟ ୩୦ ରୁ ୩୫ ହଜାର ଟଙ୍କା କଲେଜ କତୃପକ୍ଷଙ୍କୁ ଅଯଥାରେ ଦେବାକୁ ପଡୁଛି । ନୂଆ କ୍ୟାମ୍ପସ କାର୍ଯ୍ୟକ୍ଷମ ଲାଗି ଚେଷ୍ଟା ଚାଲିଥିବା ଅଧ୍ୟକ୍ଷା କହୁଥିବା ବେଳେ ଛାତ୍ରୀମାନେ କ୍ୟାମ୍ପସ ସ୍ଥାନାନ୍ତରକୁ ଚାହିଁ ବସିଛନ୍ତି ।

୧୯୮୧ରେ ତତ୍କାଳୀନ ବିଧାୟକ ବିନାୟକ ମହାପାତ୍ରଙ୍କ ଉଦ୍ୟମରେ ମହାମାୟୀ ମହିଳା ମହାବିଦ୍ୟାଳୟ ପ୍ରଥମେ ବ୍ରହ୍ମପୁର ସହରର ପାର୍କ ସାହି ଓ ପରେ ଗୁଡସେଡ୍ ରୋଡରେ ଚାଲିଥିଲା। ପରେ ଗାନ୍ଧିନଗରରେ ଏକ ଘରୋଇ ଜମି କିଣି ୧୯୯୦ ମସିହାରୁ ଏହି ମହାବିଦ୍ୟାଳୟ ଟି ଚାଲିଛି। କଲେଜର କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରୀଙ୍କ ସଂଖ୍ଯା ବର୍ତମାନ ୩ ହଜାରରେ ପହଞ୍ଚିଛି । ସେଥିରୁ ଡିଗ୍ରୀ ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୨ହଜାର। ନୂଆ କ୍ୟାମ୍ପସ ପାଇଁ ଆବଶ୍ୟକ ଦେଢ଼କୋଟି ଟଙ୍କାର ଆସବାବ ପତ୍ର କିଣିବା ଲାଗି ପୂର୍ବତନ ଅଧ୍ୟକ୍ଷା ମଞ୍ଜୁର କରିଥିଲେ। ତେବେ ଘରୋଇ ସଂସ୍ଥା ଆସବାବପତ୍ର ଯୋଗାଇ ପାରିଲା ନାହିଁ। ଯାହାକୁ ନେଇ ଦୁର୍ନୀତିର ଅଭିଯୋଗ ହୋଇଛି । ଅନ୍ୟପଟେ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ନୂଆ ଡିଗ୍ରୀ କ୍ୟାମ୍ପସ କାର୍ଯ୍ୟକାରୀ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିବା ଆଞ୍ଚଳିକ ଶିକ୍ଷା ଉପନିର୍ଦ୍ଦେଶକ କହିଛନ୍ତି ।