ସ୍ପଞ୍ଜ ଆଇରନ କାରଖାନା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ବଢୁଛି ପ୍ରଦୂଷଣ

ରାଉରକେଲା : ପ୍ରଦୂଷଣ ବଳୟରେ ସୁନ୍ଦରଗଡ଼ । ଗଛ, ଘର, ରାସ୍ତା, କାନ୍ଥବାଡ଼ ଯେଉଁଠି ଦେଖିବା କଳା ଆସ୍ତରଣ । ଘରୁ ଝାଡ଼ୁ ମାରିରେ ବାହାରୁଛି କୁଢକୁଢ ପାଉଁଶ । ଧୂଳି ଓ ଧୂଆଁ ଯୋଗୁଁ ଅସ୍ତବ୍ଯସ୍ତ ଜନଜୀବନ, ବଢୁଛି ରୋଗ । ଜିଲ୍ଲାର ସ୍ପଞ୍ଜ ଆଇରନ କାରଖାନା ସହ ବିଭିନ୍ନ କାରଖାନାରୁ ନିର୍ଗତ କଳା ଧୁଆଁ ସାରା ଅଞ୍ଚଳକୁ ପ୍ରଦୂଷିତ କରୁଛି । ଖାଦ୍ଯାପଦାର୍ଥ, ପରିବା ସବୁଠି ଧୂଳି ଓ କଳା ଧୂଆଁ ଗୁଣ୍ଡ । ଜିଲ୍ଲାର କଲୁଙ୍ଗା ଶିଳ୍ପାଞ୍ଚଳ ସହିତ ରାଜଗାଙ୍ଗପୁର, ଵଣାଇ ଓ କୁଆଁରମୁଣ୍ଡା ଅଞ୍ଚଳ ଅଧିକ ପ୍ରଦୂଷିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ଲୋକେ ।

ସ୍ପଞ୍ଜ ଆଇରନ କାରଖାନା ସହିତ ରାସ୍ତାରେ ଉଡୁଥିବା ଧୂଳି ପ୍ରଦୂଷଣକୁ ଦ୍ଵିଗୁଣିତ କରୁଛି । ଦିନରାତି ସବୁବେଳେ କାରଖାନା ପାଇପରୁ ନିର୍ଗତ ହେଉଛି କଳା ଧୂଆଁ । ଏହାସହ ବିଭିନ୍ନ ସ୍ଥାନରେ ରାସ୍ତା ଓ ଓଭରଵ୍ରିଜ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଓ ରାସ୍ତାରେ ପାଣି ପକାଯାଉ ନଥିବାରୁ ଧୂଳି ଉଡୁଥିବା ଅଭିଯୋଗ ହୋଇଛି । ସେପଟେ ବାରମ୍ବାର ଅଭିଯୋଗ ପରେ ଏନେଇ ପଦକ୍ଷେପ ନିଆଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ତୁରନ୍ତ ପଦକ୍ଷେପ ନନେଲେ ଲୋକେ ଆନ୍ଦୋଳକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । କାରଖାନା କର୍ତ୍ତୃପକ୍ଷ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ ବଢାଉ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବା ଆବଶ୍ଯକ ବୋଲି କହିଛନ୍ତି ବୁଦ୍ଧିଜୀବୀ ।