ନବୀନଙ୍କୁ ଦିଆଯାଉ ଭାରତରତ୍ନ, ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ
ଭୁବନେଶ୍ବର : ଓଡ଼ିଶାର ବିକାଶରେ ନବୀନ ପଟ୍ଟନାୟକଙ୍କ ଭୂମିକାକୁ ବିରୋଧୀ ମଧ୍ୟ ସ୍ୱୀକାର କରନ୍ତି । ଏହି କ୍ରମରେ ବୁଧବାର ଦିନ ଏକ ଉଲ୍ଲେଖନୀୟ ଘଟଣା ଘଟିଛି । କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ରାଜନୈତିକ ବିରୋଧରୁ ଉର୍ଦ୍ଧ୍ୱକୁ ଉଠି ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ବିହାରର ବେଗୁସରାୟରେ ଏକ କାର୍ଯ୍ୟକ୍ରମରେ ଯୋଗେ ଦେବା ପରେ ସାମ୍ବାଦିକଙ୍କ ସହିତ ଆଲୋଚନା କାଳରେ ସେ ଏହି ପ୍ରସ୍ତାବ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଗିରିରାଜ କହିଛନ୍ତି ଯେ,ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଓଡ଼ିଶାର ବିକାଶ ହୋଇଛି । ଏଭଳି ନେତାଙ୍କୁ ଭାରତରତ୍ନ ଦିଆଯିବା ଉଚିତ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଲୋଚକ ଭାବେ ଜଣାଶୁଣା ଗିରିରାଜ ମଧ୍ୟ ନୀତୀଶଙ୍କୁ ପ୍ରଶଂସାରେ ପୋତିଛନ୍ତି । ନୀତୀଶଙ୍କ ଶାସନକୁ ପ୍ରଶଂସା କରି ସେ ତାଙ୍କୁ ମଧ୍ୟ ଭାରତରତ୍ନ ଦିଆଯାଉ ବୋଲି କହିଛନ୍ତି । ସେ କହିଥିଲେ ଯେ, ଯେଉଁମାନେ ୧୯୯୫ ମସିହା ପରେ ଜନ୍ମ ହୋଇଛନ୍ତି ଓ ଯେଉଁମାନଙ୍କ ବୟସ ୩୦ ବର୍ଷରୁ କମ,ସେମାନେ ବିହାରରେ ଲାଲୁଙ୍କ ଜଙ୍ଗଲ ରାଜ ବିଶୟରେ କିଛି ମଧ୍ୟ ଜାଣି ନାହାନ୍ତି । ନୀତୀଶ ବିହାରକୁ ସେହି ଜଙ୍ଗଲରାଜରୁ ବାହାରୁ ଆଣିବାରେ ସଫଳ ହୋଇଛନ୍ତି । ଓଡ଼ିଶାରେ ନବୀନ ମଧ୍ୟ ଭଲ କାମ କରିଛନ୍ତି । ଏଭଳି ନେତାମାନଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ ।