ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ମହାନଦୀ

ନନ୍ଦିଘୋଷ ବ୍ୟୁରୋ: ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ମହାନଦୀ । ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବ୍ୟାପକ ବାଲି ଚୋରା ଚାଲାଣ । ମହାନଦୀ ଭିତରେ ବେଆଇନ ଭାବେ ରାସ୍ତା କରାଯାଇ ବଡ଼ବଡ଼ ମେସିନ ଲଗାଇ ନଦୀ ଶଯ୍ୟାରୁ ଉଠାଇ ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି । ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଯାହାଫଳରେ ସ୍ଥାନୀୟ ଲୋକେ ବାଲିମାଫିଆଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାପାଇଁ ଶାହସ ଜୁଟାଇପାରୁନାହାଁନ୍ତି । କାରଣ ପ୍ରଶାସନ ଓ ବାଲି ଲୁଟେରାଙ୍କ ମଧ୍ୟରେ ମଧୁର ସମ୍ପର୍କ, ଏଥିପାଇଁ ଅନେକ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ ।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲ ଅଧିନ ବଡ଼ବାଣପୁର ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ବାଲି ମାଫିଆ । ଦେଖନ୍ତୁ କେମିତି ବଡ଼ ବଡ଼ ମେସିନ ସାହାଯ୍ୟରେ ମହାନଦୀ ଗର୍ଭରୁ ବାଲି ଉତ୍ତୋଳନ ଚାଲିଛି । ବାଲି ଖୋଳାଯାଇ ହାଇୱାରେ ଲୋଡିଂ କରାଯାଉଛି । ବାଲି ନେବା ପାଇଁ ମହାନଦୀରେ ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତା କରାଯାଇଛି । ବାଲିଘାଟ ବିନା ଲିଜ୍ ଓ ବିନା ଟେଣ୍ଡରରେ ମହାନଦୀ ଗର୍ଭରୁ ବାଲି ମାଫିଆ ଉଠାଇ ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି । ସବୁ ଜାଣି ରାଜସ୍ଵ ବିଭାଗ ଚୁପ୍ ବସିଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ଵ ହରାଉଛନ୍ତି ସରକାର । ସେପଟେ ଗାଁ ରାସ୍ତାରେ ହାଇୱା ଚଳାଚଳ କରୁଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ବିରୋଧ କଲେ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଉଛନ୍ତି କଣ୍ଟିଲୋ ବାଣପୁର ଅଞ୍ଚଳର ବାଲି ମାଫିଆ । ବୋମା ପକାଇ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ତେବେ ପ୍ରଶାସନ ଚୁପ୍ ରହୁଥିବାରୁ ବାଲି ଲୁଟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି  ବେଆଇନ ବାଲି ଘାଟକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ଅଭିଯୋଗ ପରେ ନୟାଗଡ ମାଇନିଂ ଅଫିସର ଓ ରାଜସ୍ନ ବିଭାଗର ଅଧିକାରୀ ପହଞ୍ଚି ବାଣପୁର ବାଲିଘାଟକୁ ଅନିଦ୍ଧିଷ୍ଠ କାଳ ପାଇଁ ବନ୍ଦ ରଖିବା ସହ ୧୪୪ ଧାରା ଜାରି କରିଥିଲେ । ସରକାର ପରିବର୍ତ୍ତନ ପରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ବାଲି ମାଫିଆ ଏବଂ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ନଦୀରୁ ବେଆଇନ ବାଲି ଚାଲାଣ ହେଉଛି । ପୋଲିସ କିମ୍ବା  ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଖଣିଜ ସମ୍ପଦ ବିଭାଗ ନିକଟରେ ଅଭିଯୋଗ କଲେ ସୁଦ୍ଧା  କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଯାହା ଫଳରେ ମାଫିଆମାନେ ବେଧଡ଼କ ଭାବେ କରୁଛନ୍ତି ବାଲି ଚାଲଣ । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ଜିଲ୍ଲାପାଳ ।