ବାଂଲାଦେଶକୁ ହରାଇ ଅଣ୍ଡର-୧୯ ମହିଳା ଏସିଆ କପ୍ ଜିତିଲା ଭାରତ
ନୂଆଦିଲ୍ଲୀ: ବାଂଲାଦେଶକୁ ହରାଇ ୧୯ ବର୍ଷରୁ କମ ମହିଳା ଏସିଆ କପ୍ ଟ୍ରଫି ଜିତିଲା ଭାରତ । କ୍ବାଲାଲମପୁରର ବାୟୁମାସ ଓଭାଲରେ ଖେଳା ଯାଇଥିବା ଏହି ହାଇ ପ୍ରୋଫାଇଲ ମ୍ୟାଚରେ ଭାରତ, ବାଂଲାଦେଶକୁ ୪୧ ରନରେ ହରାଇ ଚାମ୍ପିୟନ ହୋଇଛି । ଭାରତ ପକ୍ଷରୁ ବାଂଲାଦେଶକୁ ୧୧୮ ରନର ଟାର୍ଗେଟ ଦିଆଯାଇଥିଲା । ବାଂଲାଦେଶ ଟିମ୍ ମାତ୍ର ୭୬ ରନରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଥର ପାଇଁ ମହିଳା ଏସିଆ କପ୍ ଆୟୋଜନ ହୋଇଥିବା ବେଳେ ଚାମ୍ପିୟନ ହୋଇ ଭାରତ ଐତିହାସିକ ଉପଲବ୍ଧି ହାସଲ କରିଛି ।
ଟସ୍ ଜିତିବା ପରେ ବାଂଲାଦେଶ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ୭ ଓ୍ବିକେଟ ହରାଇ ୧୧୭ ରନ୍ କରିଥିଲା । ଓପ୍ନର ଗୋଙ୍ଗାଡି ତ୍ରିଶା ୪୭ ବଲ ଖେଳି ସର୍ବାଧିକ ୫୨ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଥିଲା ବିନୋଦ ୧୭ ରନ୍ କରିଥିବା ବେଳେ ଅଧିନାୟକ ନିକି ପ୍ରସାଦ ୧୨, ଆୟୁଷୀ ଶୁକ୍ଲା ୧୦ ରନ କରିବାକୁ ସକ୍ଷମ ହୋଇଥିଲେ । ବାଂଲାଦେଶ ପକ୍ଷରୁ ଫରଜାନ ଇସ୍ମିନ ୪ ଓ୍ବିକେଟ ମିଳିଥିବା ବେଳେ ନିଶିତା ଅକ୍ତରଙ୍କୁ ଦୁଇ ଓ ହବିବ ଇସ୍ଲାମଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।
୧୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ଟିମର କୌଣସି ଖେଳାଳି ବେଶି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । ୧୮.୩ ଓଭରରେ ୭୬ ରନ୍ କରି ଟିମ୍ ଅଲଆଉଟ ହୋଇଯାଇଥିଲା । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଜୁଏରିୟା ଫିରଦୋସ ୩୦ ବଲରୁ ୨୨ ରନ୍ କରିଥିଲେ । ଅପ୍ନର ଫହୋମିଦା ଚୋୟା ୧୮ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ କୌଣସି ବାଂଲାଦେଶୀ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।
ଭାରତ ତରଫରୁ ଆୟୁଷୀ ତିନି ଓ୍ବିକେଟ ନେଇଥିବା ବେଳେ ସୋନମ ଯାଦବ ଏବଂ ପରୁଣିକା ସିସାଦିଆ ଦୁଇଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ଜୋଶିଥାଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।