ତୀବ୍ର ହେଲାଣି ବିଜେପିରେ ଅନ୍ତଃକନ୍ଦଳ, କଟକ ସଦର ବିଧାୟକଙ୍କ ଉପରେ ବର୍ଷିଲେ ଦିଲୀପ
କଟକ: ବିଜେପିରେ ବଢୁଛି ଅନ୍ତଃକନ୍ଦଳ । ପୁରୁଣା କର୍ମୀ ଓ ନେତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ । ଜୟନାରାୟଣ ମିଶ୍ରଙ୍କ ପରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲୀପ ମଲ୍ଲିକ । ସିଧାସଳଖ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ସେ କରିଛନ୍ତି ଟାର୍ଗେଟ । ପୁରୁଖା ନେତା ଓ କର୍ମୀଙ୍କୁ ବିଧାୟକ ଅଣଦେଖା ଓ ଅବହେଳା କରୁଥିବାର ଅଭିଯୋଗ କରିଛନ୍ତି ଦିଲୀପ ।
ବିଜେପି ସରକାରର ମାତ୍ର ୬ ମାସରେ ଭିତରେ ଦଳରେ ଭୟଙ୍କର ହେଲାଣି ଅସନ୍ତୋଷ ନିଆଁ । ସମ୍ବଲପୁରରୁ କଟକ ଯାଏଁ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଲାଣି । କେଉଁଠି ବରିଷ୍ଠ ନେତାଙ୍କୁ କୋଣଠେସା କରି ଦିଆଯାଇଛି ତ ଆଉ କେଉଁ ଦଳୀୟ କର୍ମୀଙ୍କୁ ଅଲୋଡ଼ା କରି ଦିଆଗଲାଣି । କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ସିଧା ନିଶାନା କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ବରିଷ୍ଠ ନେତା ଦିଲୀପ ମଲ୍ଲିକ । ସେ କହିଛନ୍ତି, ବିଧାୟକ ସଂଗଠନ କ’ଣ ଜାଣିନାହାନ୍ତି, ବିଜେପିକୁ ବୁଝି ନାହାନ୍ତି । ସୋସିଆଲ ମିଡ଼ିଆରେ ଦିଲୀପ ଅଭିଯୋଗ କରିଛନ୍ତି, ୧୫ ବର୍ଷ ଧରି ପ୍ରତିକୂଳ ପରିସ୍ଥିତିରେ ସଂଗଠନକୁ ମଜଭୁତ କରିଥିବା ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରାଯାଉଛି । ଏହା ବ୍ୟଥିତ କରିଥିବା କହିଛନ୍ତି ଦିଲୀପ । ସେ ନିଜର ଦଳର ବିଧାୟକ ପ୍ରକାଶ ସେଠୀଙ୍କୁ ନୂଆ ବୋହୂ କହି କଟାକ୍ଷ କରିବାକୁ ବି ପଛାଇ ନାହାନ୍ତି ।
ଆଗରୁ ଦଳ ବିରୋଧରେ ବର୍ଷିଥିଲେ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର । ଦଳରେ ତାଙ୍କୁ କୋଣଠେସା କରାଯାଇଛି ବୋଲି କରିଥିଲେ ଅଭିଯୋଗ । ଏବେ ବର୍ଷିଛନ୍ତି ଦିଲୀପ । ଏହା ପରେ ସରକାରୀ ଦଳ ମୁଖ୍ୟ ସଚେତକ ଗୋବିନ୍ଦ ଦାସ ମାନିଛନ୍ତି, ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି, ଏହାର ସମାଧାନ କରାଯିବ । ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି ଚେତାଇ ଦେଇଛନ୍ତି, କର୍ମୀଙ୍କୁ ଅଣଦେଖା କରିବା ବିଜେପିକୁ ଆଗାମୀ ଦିନରେ ମହଙ୍ଗା ପଡ଼ିବ । ନେତୃତ୍ବ ନେଉଥିବା ବରିଷ୍ଠ ନେତା ସତର୍କ ହେବା ଆବଶ୍ୟକ ।
ବିଜେପିରେ ଦିନକୁ ଦିନ ଅସନ୍ତୋଷର ନିଆଁ ଭୟଙ୍କର ରୂପ ନେବାରେ ଲାଗଛି । ଅଧା ଗଢା ମନ୍ତ୍ରୀ ପରିଷଦ, ଏଯାଏଁ ନିଗମ ବଣ୍ଟନ ନ ହେବାରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ରାଜ୍ୟସ୍ତରର ଏହି କଳି ଦିଲ୍ଲୀ ବିଜେପିକୁ ଚିନ୍ତାରେ ପକାଇଲାଣି ।