ନରସିଂହଙ୍କ ଅଭିଯୋଗ ସତ: ମଣ୍ଡିରେ ଓଜନ ମେସିନରେ ହେଉଛି ଠକେଇ

1 min read

ବଲାଙ୍ଗୀର: ସତ ହେଲା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଭିଯୋଗ । ବଲାଙ୍ଗୀର ଜିଲ୍ଲାରେ ମଣ୍ଡିରେ ଓଜନ ମେସିନରେ ଠକେଇ ହେଉଥିବା ସତ ପଦାକୁ ଆସିଲା । ରାଜ୍ୟ ସରକାର ଚାଷୀଙ୍କୁ କିପରି ଲୁଟ୍ କରୁଛନ୍ତି ସେ ନେଇ ଗତ ୨ ଦିନ ତଳେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଗୁରୁତର ଅଭିଯୋଗ ଆଣିଥିଲେ । ଏବେ ବଲାଙ୍ଗୀର ଜିଲ୍ଲାରେ ଧାନ କିଣାରେ ଧରା ପଡ଼ିଛି କିପରି ଭାବେ କଟନୀ ଛଟନୀ ସହ ଓଜନରେ ହେଉଛି ଲୁଟ୍ ।

ଗୁଡ଼ଭେଲା ବ୍ଲକ ରୁଷୁଡ଼ା ସମବାୟ ସମିତିରେ ଓଜନରେ ଠକାମୀକୁ ଧରିଛନ୍ତି ଚାଷୀ । ମଣ୍ଡିରେ ଚାଷୀଙ୍କ ଧାନ ଓଜନରେ ଠକେଇ ଦେଖି ବିରୋଧ କରିଥିଲେ ଚାଷୀ । ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଥରେ ଓଜନ କଲେ ଧାନ ପ୍ରାୟ ୨ କେଜି କମ ହେଉଛି । ପ୍ରତିବାଦ ପରେ ଓଜନ ମେସିନକୁ ପେକ୍ସ ପକ୍ଷରୁ ଲୁଚାଇ ଦିଆଯାଇଛି । ରୁଷୁଡ଼ା ଗାଁର ଚାଷୀ ରମାକାନ୍ତ ଭୋଇ ରୁଷୁଡ଼ା ସମବାୟ ସମିତିରେ ଧାନ ବିକ୍ରି ପାଇଁ ଓଜନ ସମୟରେ ଓଜନର ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ । ଚାଷୀ ଜଣଙ୍କ ନିଜ ଘର ଓଜନ ମେସିନକୁ ଆଣି ମଣ୍ଡିରେ ଧାନ ଓଜନ କରିଥିଲେ । ମଣ୍ଡିରେ ଥିବା ମେସିନ ଓ ତାଙ୍କର ମେସିନ ମଧ୍ୟରେ ଥରେ ଓଜନ କଲେ ପ୍ରାୟ ୨ କେଜି ଓଜନର ଫରକ ଦେଖାଯାଇଥିଲା । ଅନ୍ୟ ଚାଷୀମାନେ ହୋହାଲ୍ଲା ପରେ ଆରଏମସି କର୍ମଚାରୀ ଉପସ୍ଥିତ ରହି ୨ଟି ମେସିନରେ ମାପ କରାଇଥିଲେ । ପରେ ଆରଏମସି ପକ୍ଷରୁ ୪ଟି ଅନ୍ୟ ଓଜନ ମେସିନ ଦିଆଯାଇଥିଲା । ନୂଆ ମେସିନର ଓଜନ ଓ ଚାଷୀ ରମାକାନ୍ତ ଆଣିଥିବା ମେସିନ ପ୍ରାୟ ସମାନ ହୋଇଥିଲା । ଏନେଇ ପ୍ଯାକ୍ସ ସଂପାଦକ କାର୍ତ୍ତିକ ମଚ୍ଛିକ ଆରଏମସି ମେସିନ ଦେଇଥିବା କହି ନିଜ ଦୋଷ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି । ଚଳିତବର୍ଷ ମଣ୍ଡି ଖୋଳିବା ପରେ ଏହି ଓଜନ ମେସିନରେ ପ୍ରାୟ ୨୨ ଶହ କୁଇଣ୍ଟାଲ ଧାନ କିଣା ଗଲାଣି । ସେଥିରେ ମଧ୍ୟ ଓଜନରେ ବ୍ୟାପକ ଠକେଇ ହୋଇଥିବା ଅଭିଯୋଗ ହୋଇଛି I ପ୍ଯାକ୍ସର ଅସାଧୁ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି ଚାଷୀ ।