ୟୁରୋପକୁ ଡୋନାଲ୍ଡ ଟ୍ରମ୍ପଙ୍କ ନାଲିଆଖି, ଅଧିକ ଶୁଳ୍କ ଲାଗୁ କରିବାକୁ ଧମକ

ଓ୍ବାସିଂଟନ: ରାଷ୍ଟ୍ରପତି ଗାଦିରେ ବସିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏବେ ସବୁଠି ଛାନିଆ । ସେ ଶତ୍ରୁ ଦେଶ ହୁଅନ୍ତୁ ବା ମିତ୍ର ଦେଶ । ଟ୍ରମ୍ପଙ୍କୁ ନେଇ ସମସ୍ତଙ୍କ ମନରେ ଭୟର ବାତାବରଣ । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଗାଦିରେ ବସିବା ପୂର୍ବରୁ ସାରା ୟୁରୋପକୁ ନାଲି ଆଖି ଦେଖାଇଛନ୍ତି ଟ୍ରାମ୍ପ ।

ଆମେରିକୀୟ ତୈଳ ଓ ଗ୍ୟାସ କ୍ରୟ ପରିମାଣ ବୃଦ୍ଧି ନକଲେ ୟୁରୋପୀୟ ରାଷ୍ଟ୍ରଗୁଡିକ ଉପରେ ଅଧିକ ଶୁଳ୍କ ଲାଗୁ ହେବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ । ଆମେରିକା ସହ ଟ୍ରେଡ ଗ୍ଯାପ ହ୍ରାସ କରିବା ଲାଗ ଟ୍ରମ୍ପ ଆଗୁଆ ଏହି ସୂଚନା ଦେଇଛନ୍ତି ।

ଗତ ନଭେମ୍ବରରେ ଟ୍ରମ୍ପ ଦେଇଥିବା ଏକ ଧମକକୁ ନେଇ ଛାନିଆ ହୋଇଥିଲେ କାନାଡା ଓ ମେକ୍ସିକୋ । ଡ୍ରଗ୍ସ ଓ ସୀମା ପରିଚାଳନାକୁ ନେଇ ଟ୍ରମ୍ପ କହିଥିଲେ, ଯଦି କାନାଡା ଓ ମେକ୍ସିକୋ ଏହାର ସଠିକ୍ ନିୟନ୍ତ୍ରଣ ନ କରନ୍ତି ତେବେ ଆମଦାନୀ କ୍ଷେତ୍ରରେ ଏହି ଦୁଇ ଦେଶ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବ । ଆମେରିକା ଅଧିକ ତୈଳ ଉତ୍ପାଦନ କରୁଥିଲେ ବି ଜୀବାଶ୍ମ ଜାଳେଣି ଉତ୍ପାଦନ ବଢ଼ାଇବା ଲାଗି ପୂର୍ବରୁ ଟ୍ରମ୍ପ ସୂଚନା ଦେଇଥିଲେ । ନିର୍ବାଚନ ପୂର୍ବରୁ ତୈଳ ଉତ୍ପାଦନ କ୍ଷେତ୍ରରେ କଟକଣା କୋହଳ ଲାଗି ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ । ଆମେରିକାଠାରୁ ୟୁରୋପୀୟ ରାଷ୍ଟ୍ର ଯେତିକି ଆମଦାନୀ କରୁଛନ୍ତି ତା’ଠାରୁ ଅଧିକ ଆମେରିକାକୁ ରପ୍ତାନୀ କରୁଥିବାରୁ ଟ୍ରମ୍ପଙ୍କ ଏହି ଘୋଷଣା ୟୁରୋପ ଲାଗି ଚିନ୍ତାର କାରଣ ହୋଇଛି ।