ବର୍ଷାରେ ବର୍ଷକର ରୋଜଗାର ଆଖି ଆଗରେ ନଷ୍ଟ, ଚାଷୀ ମୁଣ୍ଡରେ ଚଡକ

ଭଦ୍ରକ: ଦାଉ ସାଧୁଛି ବର୍ଷା । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଦୁଇ ଦିନ ଧରି ଲାଗିରହିଛି ଲଗାଣ ବର୍ଷା । ଧାନ ଅମଳ ବେଳକୁ ଅଦିନିଆ ବର୍ଷା ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ଯାହାର ପ୍ରଭାବ ଭଦ୍ରକ ଜିଲ୍ଲା ଆରଡି, ତିହିଡି ସମେତ ଧାମନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ପାଚିଲା ଧାନକୁ କିପରି ବର୍ଷା ଦାଉରୁ ରକ୍ଷା କରିବେ ସେଥିପାଇଁ କିଏ ପଲିଥିନ ଢାଙ୍କୁଛି ତ ଆଉ କିଏ ବସ୍ତାରେ ଧାନକୁ ସାଉତୁଛି ।

ଅନ୍ୟପଟେ ଯାଜପୁରରେ ମଧ୍ୟ ଏକର ଏକର ଜମିରେ ଧାନ ଭିଜୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେହିପରି ମୁନିଗୁଡାରେ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନକୁ କିପରି ସୁରକ୍ଷା ଦେବେ ସେଥିପ୍ରତି ଲାଗି ପଡିଛନ୍ତି । କଟକ ନିଆଳିରେ ଶହ ଶହ ହେକ୍ଟର ଜମିରେ ହୋଇଥିବା ଧାନ ଫସଲ ପାଣିରେ ଭିଜୁଛି । ବର୍ଷକର ରୋଜଗାର ଆଖି ଆଗରେ ନଷ୍ଟ ହୋଇଯାଉଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । କାମାକ୍ଷାନଗର ଅଞ୍ଚଳରେ ମଧ୍ୟ ସ୍ଥିତି ସମାନ ରହିଛି ।