ଇଟାଭାଟି ଯୋଗୁଁ ବାଲେଶ୍ବରରେ ବଢୁଛି ପ୍ରଦୂଷଣ

1 min read

ବାଲେଶ୍ବର : ପ୍ରଦୂଷଣ ବଢାଉଛି ବେଆଇନ ଇଟାଭାଟି । ନା ପ୍ରଶାସନର ରହୁଛି ଅଙ୍କୁଶ, ନା ହେଉଛି ଚଢାଉ । ମାଫିଆଙ୍କ ଡରରେ ଚୁପ ରହୁଛନ୍ତି ଅଭିଯୋଗକାରୀ । କାର୍ଯ୍ଯାନୁଷ୍ଠାନ ନେଇ ଉପଜିଲ୍ଲାପାଳଙ୍କ ସଙ୍କେତ । ହଜାର ହଜାର ଇଟାରେ ସଜା ଚାଲିଛି ଇଟାପୋଡ଼ା ଭାଟି । ଆଉ ଭାଟିରୁ ନିର୍ଗତ ଧୂଆଁରେ ପ୍ରଦୂଷିତ ହେଉଛି ବାୟୁମଣ୍ଡଳ । ରାତିରେ ସରକାରୀ ଜମିରୁ ଟ୍ରକ୍, ଟ୍ରାକ୍ଟର ସାହାଯ୍ୟରେ ବୁହା ହେଉଛି ମାଟି । ମେଶିନରେ ଖୋଳିବା ଯୋଗୁଁ ହେକ୍ଟର ହେକ୍ଟର ଜମିରେ ସୃଷ୍ଟି ହେଲାଣି ଗର୍ତ୍ତ । ମାଫିଆଙ୍କ ନାଲି ଆଖି ଦେଖି ସବୁ ନୀରବ । ଇଏ ହେଉଛି ବାଲେଶ୍ବର ଜିଲ୍ଲାର ସଦର, ବାହାନଗା, ରେମୁଣା, ନୀଳଗିରି, ବାଲିଆପାଳ, ଭୋଗରାଇ, ଜଳେଶ୍ବର ଓ ବସ୍ତା ଅଞ୍ଚଳର ସ୍ଥିତି । ନଦୀ କୂଳିଆ ଅଞ୍ଚଳକୁ ଟାର୍ଗେଟ୍ କରୁଛନ୍ତି ଇଟାଭାଟି ମାଫିଆ । ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅଧିକାର ଆଇନ ତଥ୍ଯ ଅନୁସାରେ, ବାଲେଶ୍ବର ଜିଲ୍ଲାର ବିଭିନ୍ନ ତହସିଲ ଅଧୀନରେ ୧୬୨ ଇଟାଭାଟି କାର୍ଯ୍ୟକ୍ଷମ ରହିଛି । ଏଥିମଧ୍ୟରୁ ରାଜା ଫ୍ଲାଏ ଆସ୍ ବ୍ରିକ୍ସ ଓ ମିତା ବ୍ରିକ୍ସକୁ ପ୍ରଶାସନ ଅନୁମତି ମିଳିଛି । ହେଲେ ବେଆଇନ ବାବେ ଚାଲିଛି ଅନ୍ୟ ୧୬୦ ଇଟାଭାଟି । ପ୍ରଶାସନ ତରଫରୁ କେବଳ ରେମୁଣା ତହସିଲରେ ଥିବା ଇଟାଭାଟି ଗୁଡ଼ିକରୁ ୨୦୨୩-୨୪ ରେ ଏକ କୋଟି ୩୦ ଲକ୍ଷ ୧୭ ହଜାର ୫୫୪ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେପଟେ ଉପ-ଜିଲ୍ଲାପାଳ କହିଛନ୍ତି, ସରକାରୀ ନୀୟମ ଉଲ୍ଲଂଘନକୁ ଆଉ ବରଦାସ୍ତ କରାଯିବନି ।