ଆବାସ ଯୋଜନାରୁ ବଞ୍ଚିତ ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ଗାଁର ହିତାଧିକାରୀ
ବାସୁଦେବପୁର : କାନ୍ଥ ଫାଟି ଆଁ କଲାଣି । ଫଟା କାନ୍ଥରେ ମାଟି ଲେପି ଯୋଡ଼ିବାକୁ ଚେଷ୍ଠା କରାଯାଉଛି । ଭଙ୍ଗା ଦଦରା ଚାଳ ଛପର ଘରେ ପଲଥିନି ପକାଇ ରହୁଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ଗାଁର ବାସନ୍ତୀ ସେଠୀ । ତାଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ସାହାଭରସା ପାଲଟିଛି ଏହି ଭଙ୍ଗା ଦଦରା ଘର । ମୁଣ୍ଡ ଝାଳ ତୁଣ୍ତରେ ପାଣି ଯାହା ମିଳୁଛି ସେତିରେ ତିନି ଓଳି ଖାଇବା କଷ୍ଟକର ହୋଇପଡୁଛି । ନୂଆ ଘର ତିଆରି ଦୂରର କଥା, ଅର୍ଥାଭାବରୁ ଘର ମରାମତି କରିପାରୁନାହାନ୍ତି ବାସନ୍ତୀ । ଏପଟେ ଟିକେ ନଜର ପକାନ୍ତୁ । ଅଳିଆ ଆବର୍ଜନା ଭିତରେ ଖୋଲା ଆକାଶ ତଳେ ଚାଲିଛି ରୋଷେଇ। ଘରର ନଡ଼ା ଛପର ଉଡ଼ିଗଲାଣି । ଘର ଭିତରୁ ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ଦେଖାଯାଉଛନ୍ତି । ମାର୍ଗଶିର ମାସ ମାଣ ବସାଇବାକୁ ଭଲ ଜାଗାଟିଏ ନଥିବାରୁ ଏହି ଘରେ ମାଆ ଲକ୍ଷ୍ମୀଙ୍କ ଆସ୍ଥାନ କରି ପୂଜା କରୁଛନ୍ତି ସେହି ଗାଁର କମଳା ସାମଲ । ଆବାସ ଯୋଜନାରେ ବାସନ୍ତୀଙ୍କୁ ଘର ଖଣ୍ଡେ ମିଳିବା ସାତସପନ ହୋଇଛି । ସରପଞ୍ଚଙ୍କଠୁ ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରି ବାସନ୍ତୀ ଓ କମଳାଙ୍କୁ ନିରାଶ ହେବାକୁ ପଡ଼ିଛି ।
ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ଗାଁର ତେଲିଆ ମୁଣ୍ଡରେ ତେଲ ଭଳି ଥିଲାବାଲା ଆବାସ ଯୋଜନାରେ ଘର ପାଇଛନ୍ତି । କୋଠାଘର ଥାଇ ସରକାରୀ କାଗଜପତ୍ରରେ ଚାଳ ଛପର ଘର ଫଟୋ ଅପ୍ଲୋଡ଼ କରାଯାଇଥିବା ଅଭିଯୋଗ ହୋଇଛି । ଘର ପାଇବାକୁ ବଞ୍ଚିତ ହୋଇଛନ୍ତି ପ୍ରକୃତ ହିତାଧିକାରୀ । ବାସୁଦେବପୁର ବ୍ଲକ୍ରେ ଏହି ଭଳି ଶତାଧିକ ଥିଲାବାଲା ସାଜିଛନ୍ତି ସରକାରୀ କାଗଜପତ୍ରରେ ଗରିବ । ଏସମ୍ପର୍କରେ ମମତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ସରକାରୀ ବାବୁଙ୍କୁ ହାତବାରିଶ୍ କରି ଘର ପାଇଛନ୍ତି ଅଯୋଗ୍ୟ ହିତାଧିକାରୀ । ନିରପେକ୍ଷ ତଦନ୍ତ କରାଗଲେ ଏଥିମଧ୍ୟରୁ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନମ ପଦାକୁ ଆସିପାରିବ। । ଏସମ୍ପର୍କରେ ବାସୁଦେବପୁର ବିଡିଓ କଣ କହୁଛନ୍ତି ଶୁଣନ୍ତୁ ।
କେବଳ ବାସନ୍ତୀ ଓ କମଳାଙ୍କ କଥା ନୁହେଁ ଲକ୍ଷ୍ମୀଦାସପୁର ଗାଁର ଯୁଧିଷ୍ଟିର ଜେନା, ଶତୃଘ୍ନ ପୁହାଣ, ଭାରତୀ ଜେନା, ହେମନ୍ତ କୁମାର ଜେନା, ଶରତ କୁମାର ଜେନା ଓ ଅନାଦି ଚରଣ ଜେନାଙ୍କ ଭଳି ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାକୁ ବଞ୍ଚିତ ହୋଇଛନ୍ତି । ଏଠି ଥିଲାବାଲା ଘର ପାଉଥିବା ବେଳେ ଗରିବ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ।