ନିମ୍ନମାନର କାମ ନେଇ ଗ୍ରାମବାସୀଙ୍କ ଅଭିଯୋଗ

ନୟାଗଡ଼ : ନୂଆକରି ତିଆରି ହୋଇଥିବା କଂକ୍ରିଟ ରାସ୍ତାକୁ ଶାବଳରେ ଖୋଳାଯାଉଛି । ରାସ୍ତାର ଉଚ୍ଚତାକୁ ମଧ୍ୟ ମପାଯାଉଛି । ଏସବୁ ଚାଲିଛି ଜିଲ୍ଲା ଓ ବ୍ଲକ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ । ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ବଡ଼ସହରା ପଞ୍ଚାୟତରେ ଦୁଇଟି ରାସ୍ତା ଓ ଦୁଇଟି ନୂତନ ସରକାରୀ ଗୃହ ନିର୍ମାଣ କାମ ନିମ୍ନମାନର ହୋଇଥିବା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲା ସ୍ତରୀୟ ତଦନ୍ତକାରୀ ଦଳ ପହଞ୍ଚି ରାସ୍ତାକାମର ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁଦାନ ପାଣ୍ଠିରୁ ବଡ଼ସହରା ପଞ୍ଚାୟତ ଢୋଲାଚଣ୍ତି ଠାକୁରାଣୀଙ୍କଠୁ ଆରଡ଼ି ରାସ୍ତା ଓ ବଡ଼ସହରା କଲ୍ୟାଣମଣ୍ତପ ରାସ୍ତା ନିର୍ମାଣ ହୋଇଛି । ସେହିପରି ବନ ସୁରକ୍ଷା ଗୃହ  ଓ ପଞ୍ଚାୟତ ଫାସିଲିଟି ସେଣ୍ଟ  ନିର୍ମାଣ ହୋଇଛି । ନିର୍ମାଣ ଚାରୋଟି ପ୍ରକଳ୍ପ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ବ୍ଳକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଓ ବଡ଼ସହରା ପଞ୍ଚାୟତ ସରପଞ୍ଚଙ୍କ ଉପସ୍ଥିତିରେ ପଞ୍ଚାୟତ ରାଜ ବିଭାଗର ସୁପରିଟେଣ୍ତଣ୍ଟ ଇଞ୍ଜିନିୟର ଟେକନିକାଲ ସର୍ପରାଜ ଖାନଙ୍କ ନେତୃତ୍ୱରେ ଟିମ୍ ପହଞ୍ଚି  ତଦନ୍ତ କରିଥିଲେ।

ନିମ୍ନ ମାନର ରାସ୍ତା କାମ ପାଇଁ ବଡ଼ସହରା ପଞ୍ଚାୟତର ଜନସାଧାରଣଙ୍କ ମଧ୍ୟ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଏହି ରାସ୍ତା କାମରେ ତଦନ୍ତ କରାଯାଇ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସ୍ୱତନ୍ତ୍ର ବିଭାଗ ଦ୍ୱାରା ନିର୍ମାଣ କାମରେ ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ଦାୟିତ୍ୱରେ ଥିବା ବିଭାଗୀୟର ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗର ବଡ଼ବଡ଼ିଆ ବାବୁ ମାନଙ୍କ ସହ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ନିମ୍ନମାନର କାମ ଉପରେ କେବଳ ଅନୁଧ୍ୟାନ କରି ଚୁପ୍ ବସିଗଲେ ହେବନାହିଁ । ତଦନ୍ତ କରି ଠିକାଦାରଙ୍କ ସହିତ ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି ।