ବଲାଙ୍ଗୀରରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା
1 min readନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ଗତ ୨ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶୃତି ପାଣିର ଗାର ପାଲଟିଥିବା ଦେଖିବାକୁ ମିଳିଛି । ପୂର୍ବରୁ ସରକାର କହିଥିଲେ ଚାଷୀଙ୍କ ଠାରୁ ବିନା କଟନି ଛଟନିରେ ଧାନ କିଣାଯିବ । ହେଲେ ବର୍ତ୍ତମାନ ମଣ୍ଡିରେ କ୍ବିଣ୍ଟାଲ ପ୍ରତି ୫ ରୁ ୧୦ କେଜି o କଟନି ଛଟନି କରାଯାଉଥିବାରୁ ଚାଷୀ ଧାନ ବିକ୍ରି କରିବାକୁ ନାରାଜ । ଫଳରେ କିଛି ଚାଷୀ ଅଭାବୀ ବିକ୍ରିର ଶିକାର ହେଲେଣି । ସେପଟେ ଧାନ କିଣା ପୂର୍ବରୁ କିପରି ମିଲରେ ପହଞ୍ଚିଲା ଧାନ ତାହାକୁ ନେଇ ଏବେ ଚାଷୀ ସଂଗଠନ ଆନ୍ଦୋଳନ ମୁହାଁ ହେଲେଣି ।
ସରକାଙ୍କ ପ୍ରତିଶୃତି ପାଲଟିଛି ପାଣିରଗାର । କଟନି ଛଟନିର ଶିକାର ହେଉଛନ୍ତି ଚାଷୀ । ବଲାଙ୍ଗୀର ଜିଲ୍ଲାରେ ଗତ ୨ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଆରମ୍ଭରୁ ଧାନ କିଣାରେ ଅବ୍ଯବସ୍ଥା ସହ ଟୋକନ ଟେନସନ ଚାଷୀଙ୍କୁ ଘାରିଥିଲା । ଆଉ ଏବେ ଚାଷୀଙ୍କୁ ଚିନ୍ତାରେ ପକାଇଛି ଏଫଏକ୍ୟୁ ମାନର ଧାନ କ୍ରୟ ପାଇଁ ସରକାରଙ୍କ ମାନଦଣ୍ଡ । ନିରୀହ ଚାଷୀଙ୍କୁ ମଣ୍ଡିରେ ଶୋଷଣ କରାଯାଉଥିବା ଅଭିଯୋଗ । କ୍ବିଣ୍ଟାଲ ପ୍ରତି ୫ ରୁ ୧୦ କେଜି କଟନି ଛଟନି କରାଯାଉଥିବାରୁ ଚାଷୀ ଧାନ ବିକ୍ରି କରିବାକୁ ନାରାଜ ହେଉଛନ୍ତି । ଫଳରେ ଅଭାବୀ ବିକ୍ରିର ଶିକାର ହେଲେଣି ଚାଷୀ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ବହୁ କଷ୍ଟରେ ଧାନ ଅମଳ କରିଥିବା ବେଳେ ଏଫଏକ୍ଯୁ ମାନର ଧାନ କେଉଁଠୁ ଆଣିବେ ବୋଲି ଚିନ୍ତାରେ ପଡିଯାଇଛନ୍ତି । ଅନ୍ୟପଟେ ରାଇସ୍ ମିଲ ଗୁଡିକରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ମହଜୁଦ ରହିଛି । ଧାନ କିଣା ପୂର୍ବରୁ କେମିତି ମିଲ ଗୁଡିକରେ ପହଞ୍ଚିଲା ଧାନ ତାହାକୁ ନେଇ ଏବେ ଚାଷୀ ସଂଗଠନ ଆନ୍ଦୋଳନ ମୁହାଁ ହେଲେଣି ।
ଚଳିତ ବର୍ଷ ଜିଲ୍ଲାରେ ଖରିଫ ଧାନ ବିକ୍ରି ପାଇଁ ୯୫ ହଜାର, ୮୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୭୬ଟି ମଣ୍ଡି ମାଧ୍ୟମରେ ୩୪ ଲକ୍ଷ ୯ ହଜାର ୭୩ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯିବ ବୋଲି ଧାର୍ଯ୍ଯ ରଖାଯାଇଛି । ହେଲେ ଏପର୍ଯ୍ଯନ୍ତ ଅଧିକାଂଶ ମଣ୍ଡି ଖୋଲି ନଥିବା ନେଇ ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି । ସେପଟେ ଧାନ କିଣାର ଅବ୍ଯବସ୍ଥାର ଫାଇଦା ନେଲେଣି ଅସାଧୁ ଧାନ ବ୍ଯବସାୟୀ ଓ ମିଲର୍ସ । ଗୋଟିଏ ପଟେ ଧାନ ବିକ୍ରି କରିନପାରି ଚାଷୀ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଅନ୍ୟପଟେ କଟନି ଛଟନି ଚାଷୀଙ୍କୁ ଚିନ୍ତାରେ ପକାଇଛି । ଚାଷୀଙ୍କୁ ହଇରାଣରେ ପକାଇ ଲୁଟ କରିବା ପାଇଁ ସବୁତକ ସରକାରୀ ଚକ୍ରାନ୍ତ ବୋଲି କୃଷକ ନେତା ଅଭିଯୋଗ କରିଛନ୍ତି । ଅନ୍ଯପକ୍ଷରେ ଅଭିଯୋଗ ଆସିଲେ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗୀର ଜିଲ୍ଲାପାଳ କହିଛନ୍ତି ।