ଆଜି ଧନୁ ସଂକ୍ରାନ୍ତି, ମା’ ଯଶୋଦାଙ୍କର ହାତରନ୍ଧା ଖାଇବ କାଳିଆ
1 min readପୁରୀ: ଆଜି ଧନୁ ସଂକ୍ରାନ୍ତି । ଏହା ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ । କାହିଁ କେଉଁ ଅନାଦି କାଳରୁ ଏହା ପାଳିତ ହୋଇ ଆସୁଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆରମ୍ଭ ହେବ ପହିଲି ଭୋଗ ନୀତି । ପରମ୍ପରା ଅନୁଯାଇ ଏହି ଏକମାସ ମାଆ ଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ଏହି ସମୟରେ ମାତା ଯଶୋଦା ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ସୁସ୍ବାଦୁ ବ୍ୟଞ୍ଜନ । ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଓ ଧନୁମୁଆଁ ଲାଗି କରାଯାଇଥାଏ ।
ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟରସ ଉପାସନାର ସମୟ । ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି। ସକାଳୁ ସକାଳୁ କୁଆ କା’ କହିବା ପୂର୍ବରୁ, ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ରାମ କୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଥାନ୍ତି ମାଆ ଯଶୋଦା । ସେଥିପାଇଁ, ଶ୍ରୀମନ୍ଦିର ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ହୋଇଥାଏ । ମାସେ ଯାଏଁ ଶ୍ରୀଜୀଉଙ୍କୁ ଅର୍ପଣ ହୋଇଥାଏ ପହିଲି ଭୋଗ । ମାଆଙ୍କ ହାତରନ୍ଧା ଖାଦ୍ୟ ଖାଇଥାନ୍ତି ମହାପ୍ରଭୁ । କଥିତ ଅଛି ଯେ, ଏହି ମାସରେ ମହାଲକ୍ଷ୍ମୀ ବାପଘର ଯାତ୍ରା କରିଥାନ୍ତି । ଏଣୁ ବାତ୍ସଲ୍ୟ ମମତାମୟୀ ମା’ ଯଶୋଦା ଶ୍ରୀଜଗନ୍ନାଥଙ୍କୁ ପ୍ରଭାତରୁ ଶୀଘ୍ର ରୋଷଇ କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ ଅନ୍ନ ଶୀତ ସମୟରେ ଗରମ ଗରମ ଖାଇବାକୁ ଦେଇଥାନ୍ତି । ଏଣୁ, ଏହି ଭୋଗ ମା’ ଯଶୋଦାଙ୍କ ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନୈସର୍ଗିକ ପ୍ରେମର ନିଦର୍ଶନ । ସେଥିପାଇଁ ଏହି ପହିଲି ଭୋଗର ବ୍ୟବସ୍ଥା ଚଳିଆସିଛି ।
ଗୋପାଳବଲ୍ଲଭରେ ଏହି ପହିଲି ଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥାଏ । ରାତି ୨ଟା ରେ ଶ୍ରୀମନ୍ଦିର ଦ୍ବାର ଫିଟା, ୩ଟାରେ ମଙ୍ଗଳ ଆଳତି, ୩ଟା ୩୦ ରେ ମଇଲମ, ୪ଟା ୩୦ରେ ଅବକାଶ ୫ଟା ୩୦ରେ ବେଶ ଶେଷ ହେବା ପରେ ପହିଲି ଭୋଗ ନୀତି ଆରମ୍ଭ ହେବ । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି- ‘ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବା ପାଇଁ ଏହି ଦିନମାନଙ୍କରେ ମଂଗଳ ଆଳତି ପରେ ହିଁ ରୋଷ ହୋମ ଅନୁଷ୍ଠିତ ହୋଇଥାଏ ।