ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣା: ପତ୍ନୀ ନିକିତାଙ୍କ ସହ ତାଙ୍କ ମାଆ ଓ ଭାଇ ଗିରଫ

ବେଙ୍ଗାଲୁରୁ: ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯାତନାରେ ଅତିଷ୍ଠ ସଫ୍ଟଓ୍ବେ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା । ତାଙ୍କ ପତ୍ନୀ ନିକିତା, ଶାଶୁ ଏବଂ ଶାଳକଙ୍କୁ ଗିରଫ କଲା ପୋଲିସ । ଗିରଫଦାରୀ ଏଡାଇବାକୁ ସମସ୍ତେ ଆଗୁଆ ଜାମିନ ପାଇଁ କରିଥିଲେ ଆବେଦନ । ଗିରଫ ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ନିକିତାଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିବା ବେଳେ ତାଙ୍କ ମାଆ ଏବଂ ଭାଇଙ୍କୁ ପ୍ରୟାଗରାଜରୁ ଗିରଫ କରାଯାଇଛି ।

ସ୍ତ୍ରୀର ନିର୍ଯାତନା ସହି ନପାରି ଅତୁଲ ଆତ୍ମହତ୍ୟା କରିଥିଲେ । ମରିବା ପୂର୍ବରୁ ଭିଡିଓ କରି ତାଙ୍କ ଉପରେ ହୋଇଥିବା ନିର୍ଯାତନାର ସବୁ କିଛି କହି ଯାଇଛନ୍ତି । ଏହାସହ ସେ ୨୪ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଛନ୍ତି । ଏହି ଆଧାରରେ ବେଙ୍ଗାଲୁରୁ ପୋଲିସ ପତ୍ନୀ ନିକିତା, ଶାଶୁ ଏବଂ ଶାଳକଙ୍କୁ ହାଜର ହେବାକୁ ସମନ କରିଥିଲା ।  ବୟାନ ରେକର୍ଡ କରିବାକୁ ଏହି ସମନ କରାଯାଇଥିଲା । କିନ୍ତୁ ଗିରଫଦାରୀ ଏଡ଼ାଇବାକୁ ସେମାନେ ଆଗୁଆ ଜାମିନ ଆବେଦନ କରିଥିଲେ ।

ଅତୁଲଙ୍କ ଆତ୍ମହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ବିଷୟ ପାଲଟିଛି । ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ଆଇନ କରାଯାଇଥିଲା, ତାର ଅପବ୍ୟବହାର କରି କେମିତି ସ୍ଵାମୀମାନଙ୍କୁ ନିର୍ଯାତନା ଦିଆଯାଉଛି, ଏହା ହେଉଛି ତା’ର ଏକ ଉଦାହରଣ । ସ୍ଵାମୀଙ୍କ ବିରୋଧରେ ମିଛ କେସ୍ କରି କୋଟି କୋଟି ଟଙ୍କା ଅସୁଲ କରୁଥିଲେ ନିକିତା । ଅତୁଲଙ୍କ ଆତ୍ମହତ୍ୟା ପରଠାରୁ ସମସ୍ତେ ଫେରାର ଥିଲେ ।