ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା: ଦୁଇ ଜିଲ୍ଲାକୁ ୟେଲୋ ଆଲର୍ଟ, ୧୭ରୁ ବର୍ଷା

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ପାରଦ । ସ୍ବଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଲା ତାପମାତ୍ରା । ଆଉ ଦିନକ ପାଇଁ ଶୀତ ଲହରୀ ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ସୁନ୍ଦରଗଡ ଓ ଝାରସୁଗୁଡାକୁ ସତର୍କତା ଜାରି କରାଯାଇଛି ।

ଗତ ତିନି ଦିନ ହେବ ରାଜ୍ୟରେ ତାପମାତ୍ରା କମିବା ସହ ଜାଡ ବଢିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ପ୍ରବଳ ଜାଡ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବ । ସୁନ୍ଦରଗଡ, କନ୍ଧମାଳ ଓ କୋରାପୁଟରେ ୧୦୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବ ବୋଲି ଆକଳନ କରାଯାଇଛି ।

ଆସନ୍ତା ୧୭ ତାରିଖରୁ ରାଜ୍ୟରେ ପୁଣି କୋହଲା ପାଗ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ସତର୍କତା ଜାରି କରାଯାଇଛି । ୧୭ରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସେହିଭଳି ୧୮ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୯ ରେ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରିରେ ହାଲୁକା ବର୍ଷା ହେବ । ବର୍ଷା ପ୍ରଭାବରେ ରାଜ୍ୟରେ ପୁଣି ଉପରମୁହାଁ ହେବ ପାଦର । ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ୨୦ ତାରିଖରୁ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ ।