ପୋଲାଭରମକୁ ନେଇ ନବୀନଙ୍କ କଡ଼ା ଆଭିମୁଖ୍ୟ: ବହୁତ ହୋଇଗଲା, ଜାନୁଆରୀରୁ ଆରପାର ଲଢେଇ
ଭୁବନେଶ୍ବର: ବହୁତ ହୋଇଗଲା, ଏଣିକି ଆରପାର ଲଢେଇ ଲଢିବ ବିଜେଡି । ମାଲକାନଗିରି ଆଦିବାସୀଙ୍କ ପାଇଁ ଜାନୁଆରୀରୁ ଜୋରଦାର ଆନ୍ଦୋଳନ ଆରମ୍ଭ କରିବ ବିଜେଡି । ପୋଲାଭରମକୁ ବିରୋଧ କରି ଏହି ଆନ୍ଦୋଳନ ମାଲକାନଗିରିରୁ ଦିଲ୍ଲୀ ଯାଏଁ ନେବାକୁ ନିଷ୍ପତ୍ତି ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦିଲ୍ଲୀକୁ ଯାଇ ବିଜେଡି ଟିମ୍ କେନ୍ଦ୍ର ସରକାରଙ୍କୁ ପୋଲାଭରମ ସଂପର୍କରେ ଭେଟିବା ପରେ ଆଜି ନବୀନଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । କାରଣ ଏଯାଏଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ପ୍ରକଳ୍ପ ବନ୍ଦ କରିବାକୁ କୌଣସି ଉତ୍ତର ଆସିଲା ନାହିଁ । ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ସବୁ ସମୟରେ ଠିଆ ହେଉଥିବା ନବୀନ ଏଥର ମଧ୍ୟ ଏହି ଆନ୍ଦୋଳନର ନେତୃତ୍ବ ନେବାକୁ ଦୃଢ କଣ୍ଠରେ ଘୋଷଣା କରିଛନ୍ତି ।
ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ବିଜେଡି ନେତା ଓ କର୍ମୀଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆବର୍ଷରୁ ପୋଲାଭରମ ବିରୋଧୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରି ଲୋକଙ୍କ ମତାମତକୁ ଅପେକ୍ଷା କରିଛି ବିଜେଡି । ତାଙ୍କ ମତାମତକୁ ଆଧାର କରି ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯିବ । ଜାନୁଆରୀରୁ ହେବାକୁ ଥିବା ଏହି ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ । ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଏହି ଲଢେଇ ମୋଟୁରୁ ଭୁବନେଶ୍ବର ଓ ଭୁବନେଶ୍ବରରୁ ଦିଲ୍ଲୀ କରିବାକୁ ନବୀନ ଘୋଷଣା କରିଛନ୍ତି ।
କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି । କାରଣ ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ୍ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକାଳନ ରିପୋର୍ଟ ଦେଇଥିଲା । ତାଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇ ବିଜେଡିର ୭ ଜଣିଆ ଟିମ୍ ଓ ୭ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, କେନ୍ଦ୍ର ଜଳ ଆୟୋଗ, ଆଦିବାସୀ ବ୍ୟାପାର ବିଭାଗ ଓ ଆଦିବାସୀ କମିଶନଙ୍କୁ ଭେଟିଥିଲା । ଯାହାର ରିପୋର୍ଟ ଆଜି ନବୀନଙ୍କୁ ପ୍ରଦାନ କରାଯାଇଛି ।
ପୋଲାଭରମ ପ୍ରକଳ୍ପର ପ୍ରକୃତ ବନ୍ୟା ଜଳ ନିଷ୍କାସନ ଡିଜାଇନକୁ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇଛି । ଯେଉଁଥିରେ ଜଳ ନିଷ୍କାସନ କ୍ଷମତାକୁ ୩୬ ଲକ୍ଷ କ୍ୟୁସେକରୁ ୫୦ ଲକ୍ଷ କ୍ୟୁସେକ କରାଯାଇ ମାଲକାନଗିରିକୁ ବିପଦ ଭିତରକୁ ଠେଲାଯାଇଛି । ଏହା ପଛୁଆ ଜଳକୁ ୧୭୪.୨୨ ଫୁଟକୁ ଠେଲି ଦେବ । ଯାହା ପୂର୍ବରୁ ୧୫୦ ଫୁଟ ରଖାଯାଇଥିଲା । ଅବଶିଷ୍ଟ ୨୪ ଫୁଟ ଯୋଗୁଁ ମାଲକାନଗିରିର ୧୬୨ଟି ଗାଁ ବୁଡ଼ିଯିବ । ଏନେଇ କେନ୍ଦ୍ର ଜଳ ଆୟୋଗ କୌଣସି ନୂତନ ସର୍ଭେ ବି କରିନି । କାରଣ ୨୦୦୯ ସର୍ଭେ ଅନୁସାରେ ୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ଯୋଗୁଁ ୨୬୧ ଫୁଟ ବୁଡ଼ି ହେବ । ହେଲେ ୨୦୧୯ରେ ଆଇଆଇଟି ରୁର୍କି କରିଥିବା ସର୍ଭେ ଅନୁସାରେ ୫୮ ଲକ୍ଷ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ଯୋଗୁଁ ୨୩୨.୨୮ ଫୁଟ୍ ବୁଡ଼ି ହେବାର ଆଶଂକା ରହିଛି । ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରି କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପ ଘୋଷଣା କରିଛନ୍ତି । ଯେଉଁଥି ପାଇଁ କେନ୍ଦ୍ର ସରକାର ଏହାର ଖର୍ଚ୍ଚ ସଂପୂର୍ଣ୍ଣ ବହନ କରୁଛନ୍ତି ।
ଗତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଦୁଇ ଥର ମହାନଦୀ ଓ ପୋଲାଭରମ ନେଇ ଗୃହରେ ଯେଉଁ ଲିଖିତ ଉତ୍ତର ରଖିଛନ୍ତି, ତାହା ଡବଲ ଇଞ୍ଜିନ ସରକାରଙ୍କ ଡବଲ ଷ୍ଟାଣ୍ଡାର୍ଡ ନୀତିକୁ ସ୍ପଷ୍ଟ କରିଛି । କାରଣ ବାରମ୍ବାର ଦିଲ୍ଲୀ ଗସ୍ତ କରି ମଧ୍ୟ ପୋଲାଭରମ କି ମହାନଦୀ ନେଇ କେନ୍ଦ୍ର, ଆନ୍ଧ୍ର କିମ୍ବା ଛତିଶଗଡ଼ ସହ ଔପଚାରିକ ଆଲୋଚନା କରି ନଥିବା ବିଧାନସଭାକୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପ୍ରତି ଡବଲ ସହ ଟ୍ରିପଲ ଇଞ୍ଜିନ ସରକାରଙ୍କ ଏପରି ଦୋମୁହାଁ ନୀତିକୁ ସବୁ ମହଲ ନିନ୍ଦା କରାଯାଉଛି ।