ମାର୍ଶଲ ଆଇନ ଲାଗୁ କରିବା ପଡ଼ିଲା ମହଙ୍ଗା, ବହିଷ୍କୃତ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟୋଲ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟୋଲ ବହିଷ୍କୃତ । ମହାଭିଯୋଗ ପ୍ରସ୍ତାବ ଗୃହୀତ ପରେ ବହିଷ୍କୃତ ହୋଇଛନ୍ତି ୟୁନ । ଡିସେମ୍ବର ୩ ତାରିଖରେ ଦେଶରେ ମାର୍ଶଲ ଆଇନ କାର୍ଯ୍ୟକାରୀ କରି ବିବାଦରେ ଫସିଥିଲେ । ସାମୟିକ ମାର୍ଶଲ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିଲା ଅସ୍ଥିରତା । ଯାହାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେବା ସହ ଆନ୍ଦୋଳନ ହୋଇଥିଲା ।
ମାର୍ଶଲ ଆଇନକୁ ନେଇ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଥିଲା । ସଂସଦ ଭବନ ବାହାରେ ହଜାର ହଜାର ଲୋକଙ୍କ ନାରାବାଜି ମଧ୍ୟରେ ସଂସଦରେ ଆସିଥିଲା ମହାଭିଯୋଗ ପ୍ରସ୍ତାବ । ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ ୨୦୪ ସାଂସଦ । ବହିଷ୍କୃତ ହେବା ପରେ ୟୁନଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ସାମ୍ବିଧାନିକ କୋର୍ଟ । ଯଦି ମହାଭିଯୋଗକୁ କୋର୍ଟ ସମର୍ଥନ କରନ୍ତି ତେବେ ଦକ୍ଷିଣ କୋରିଆ ଇତିହାସରେ ୟୁନ ହେବେ ଦ୍ବିତୀୟ ରାଷ୍ଟ୍ରପତି । ବହିଷ୍କାର ସପକ୍ଷରେ ଯଦି କୋର୍ଟ ରାୟ ଦିଅନ୍ତି ତେବେ ରାୟର ୬୦ ଦିନ ମଧ୍ୟରେ ନିର୍ବାଚନ ହେବ । ଏବେ ପ୍ରଧାନମନ୍ତ୍ରୀ ହାନ ଡକ ସୁ ହୋଇଛନ୍ତି ଅନ୍ତରୀଣ ଶାସକ ।
ୟୁନଙ୍କ ବିରୋଧରେ ଅସନ୍ତୋଷ ଏତେ ବଢ଼ିଯାଇଛି ଯେ, ସଂସଦରେ ନିଜ ପିପୁଲ୍ସ ପାୱାର ପାର୍ଟି ବି ତାଙ୍କୁ ସମର୍ଥନ କରି ନଥିଲା । ୟୁନଙ୍କୁ ବହିଷ୍କାର କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥିଲା ବୋଲି ବିରୋଧୀ ଡେମୋକ୍ରାଟିକ ପାର୍ଟି କହିଛି ।
୩ ତାରିଖ ମଧ୍ୟରାତ୍ରୀରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ୟୁନ କହିଥିଲେ, ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ବିରୋଧୀମାନେ ସରକାରଙ୍କୁ ଅଚଳ କରିଦେବା ଲାଗି ଷଡ଼ଯନ୍ତ୍ର କରୁଛନ୍ତି । ଏହି କାରଣରୁ ସେ ଦେଶରେ ସାମରିକ ଆଇନ ଲାଗୁ କରିଛନ୍ତି । ଘୋଷଣା ବଳରେ ସେନାମୁଖ୍ୟ ପାର୍କ ଅନସୁଙ୍କ ଜରିଆରେ ରାଜନୈତିକ କାର୍ଯ୍ୟକଳାପ ବନ୍ଦ, ମିଥ୍ୟା ପ୍ରଚାର, ଧର୍ମଘଟ, ଜନସମାଗମକୁ ନିଷିଦ୍ଧ କରାଯାଇଥିଲା । ତେବେ ପ୍ରବଳ ବିରୋଧ ପରେ ଏହାକୁ ସେ ପ୍ରତ୍ଯାହାର କରିଥିଲେ ।