ଗାଡିରୁ ୧୦ ଲକ୍ଷ ଜବତ ଘଟଣା: ସିବିଆଇ କାର୍ଯ୍ୟାଳୟକୁ ଆସିଲା ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଦସ୍ତାବିଜ୍
ଭୁବନେଶ୍ବର: ଦାମୀ ଗାଡିରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ଚାଲିଛି ତନାଘନା । ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟକୁ ଆସିଲା ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଦସ୍ତାବିଜ । ଗୋଟିଏ ବ୍ୟାଗ ଭର୍ତ୍ତି ଦସ୍ତାବିଜ ଆଣିଛି ସିବିଆଇ । ବ୍ୟାଗରେ ରହିଛି ଆଇଟି ରିଟର୍ଣ୍ଣ ଦସ୍ତାବିଜ ସହ ଟେଣ୍ଡର କାଗଜପତ୍ର । ବାର୍ଷିକ ଅଡିଟ ଓ ଟିଡିଏସ ରିପୋର୍ଟର ବି ଚାଲିଛି ଯାଞ୍ଚ ।
ଅନ୍ୟପଟେ ନୋଟିସ ପରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ୨ ଜଣ ଡ୍ରାଇଭର । ଡ୍ରାଇଭର ନୃସିଂହ ଶତପଥୀ ଏବଂ ତୁଷାର ସିବିଆଇରେ ହାଜର ହୋଇଛନ୍ତି । ଅନ୍ୟ ଜଣଙ୍କୁ ସମନ ହୋଇଥିଲେ ବି ସେ ହାଜର ହୋଇନାହାନ୍ତି ।
ସିବିଆଇର ଜେରା ପରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦଙ୍କ ଡ୍ରାଇଭର ନୃସିଂହ । ତାଙ୍କ କହିବା କଥା, ସେ ଏସସି ଏସଟି ବିଭାଗର ଡ୍ରାଇଭର । ସିବିଆଇ ଯାହା ପଚାରିଲେ ତାହାର ଉତ୍ତର ଦେଇଛି । ବିଷ୍ଣୁପଦ ଘରୁ ବାହାରି କୁଆଡେ କୁଆଡେ ଯାଉଥିଲେ ତାହା ସିବିଆଇ ପଚାରିଥିଲା । ୭ ତାରିଖ ସନ୍ଧ୍ୟା ସମୟରେ ବିଷ୍ଣୁପଦ କେଉଁଠି ଥିଲେ ସେ ନେଇ ଜାଣିବାକୁ ଚାହିଁଛି ସିବିଆଇ । ତେବେ ସନ୍ଧ୍ୟା ୭ ଟାରେ ବିଷ୍ଣୁପଦଙ୍କୁ ଘରେ ଛାଡିଥିବା ସିବିଆଇକୁ କହିଛନ୍ତି ଡ୍ରାଇଭର ନୃସିଂହ । ହେଲେ ପରେ କୁଆଡେ ଯାଇଥିବେ ମୁଁ ଜାଣିନି । ସାରଙ୍କର ତିନି ଜଣ ଡ୍ରାଇଭର ଅଛନ୍ତି । ମୁଁ ଦିନ ଦୁଇଟା ପର୍ଯ୍ୟନ୍ତ ସାରଙ୍କୁ ନେବା ଆଣିବା କରେ । ପରେ ଡ୍ରାଇଭର ତୁଷାର ସାରଙ୍କୁ ନେବା ଆଣିବା କରେ । ଆଉ ଜଣେ ଡ୍ରାଇଭର ରାମ ମଧ୍ୟ ଅଛନ୍ତି । ହେଲେ ତାଙ୍କ ଆକାଉଣ୍ଟରେ କୌଣସି ଟଙ୍କା କାରବାର ହୋଇନାହିଁ ବୋଲି କହିଛନ୍ତି ଡ୍ରାଇଭର ନୃସିଂହ । ବିଷ୍ଣୁପଦଙ୍କ ଘରେ ସିସିଟିଭି ଲାଗିଛି କି ନାହିଁ ଡ୍ରାଇଭରଙ୍କ ଠାରୁ ତଥ୍ୟ ନେଇଛି ସିବିଆଇ ।