spot_img

Latest Posts

ବିଜେପି ଆଇଟି ସେଲର ବିକୃତ ମାନସିକତା, ନବୀନଙ୍କ ଅରୁଚିକର ଫଟୋ ପ୍ରସାରଣକୁ ସବୁଠି ନିନ୍ଦା

ଭୁବନେଶ୍ବର : ସରକାରକୁ ଆସିବା ପରେ ମଧ୍ୟ ବିଜେପି ଆଇଟି ସେଲ ଅରୁଚିକର ସମାଲୋଚନା ରାସ୍ତାରୁ ପଛକୁ ହଟୁନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ଯାଇ ରାଜନୀତିର ସବୁ ସଂଜ୍ଞା ଓ ସୌଜନ୍ୟତାକୁ ଭୁଲିଯାଇଛି ବିଜେପି ଆଇଟି ସେଲ । ରାଜ୍ୟରେ ଆଳୁ ସଙ୍କଟକୁ ସମାଧାନ କରିବାରେ ବର୍ତ୍ତମାନ ବିଜେପି ସରକାର ଓ ଏହାର ଯୋଗାଣ ମନ୍ତ୍ରୀ ଫେଲ, ଏକଥା ଘରେ ଘରେ ଲୋକେ କହିଲେଣି । ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ନବୀନ ପଟ୍ଟନାୟକଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛି ବିଜେପି ଆଇଟି ସେଲ । ଦଳର ଅଫିସିଆଲ ସୋସିଆଲ ମିଡିଆ ପେଜରେ ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି କଦର୍ଥ କରି ଚିତ୍ରିତ କରାଯାଇଛି ତାକୁ କୌଣସି ବୁଦ୍ଧିଜୀବୀ ଗ୍ରହଣ କରିପାରୁନାହାଁନ୍ତି । ରାଜନୀତିରେ ଆରୋପ ପ୍ରତ୍ୟାରୋପ କିଛି ନୂଆ ନୁହେଁ । କିନ୍ତୁ ଆରୋପ କରିବାକୁ ଯାଇ ସୌଜନ୍ୟତାର ସୀମା ଲଂଘିବା ଏକ ଜାତୀୟ ଦଳକୁ ଶୋଭାପାଉନି ବୋଲି ଅଭିଯୋଗ ହେଉଛି । ବରିଷ୍ଠ ରାଜନେତା ସୁରେଶ ରାଉତରାୟ ମଧ୍ୟ ବିଜେପି ଆଇଟି ସେଲର ଏଭଳି ହୀନ ଉଦ୍ୟମକୁ କଡା ସମାଲୋଚନା କରିଛନ୍ତି । ନବୀନ ପଟ୍ଟନାୟକ ହିମାଳୟ ସଦୃଶ । ବିଜେପି ନବୀନଙ୍କୁ ଭୟ କରି ସୋସିଆଲ ମିଡିଆରେ ଏଭଳି କୁତ୍ସାରଟନା କରୁଛନ୍ତି । ଓଡିଶା ପ୍ରତି ନବୀନ ପଟ୍ଟନାୟକଙ୍କ ଅବଦାନ ଅନେକ । ବିଜେପି ୬ ମାସ ହେଲା ସରକାରକୁ ଆସିଛି, କିଛି କରିପାରୁନି । ତେଣୁ ନବୀନଙ୍କ ପ୍ରତି ଭୟଭୀତ ହୋଇପଡିଛନ୍ତି । ଏମିତି ବି ଏଥର ବିଜେଡି ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ପାଇନି ସତ, କିନ୍ତୁ ଗତ ନିର୍ବାଚନରେ ତିନି ଦଳର ଭୋଟକୁ ଦେଖିଲେ ବିଜେଡି ବିଜେପି ଠାରୁ ଅଧିକ ଭୋଟ ପାଇଥିଲା । ଆଉ ବିଜେପି ସରକାର ଆସିବାକୁ ୬ମାସ ଆସିନି, ହେଲେ ସୋସିଆଲ ମିଡିଆରେ ନବୀନଙ୍କ ଯେଉଁ କ୍ରେଜ ରହୁଛି ସେଥିରୁ ଜଣାପଡୁଛି ଯେ, ଆଜିର ଦିନରେ ଯଦି ପୁଣି ଥରେ ଭୋଟ ହୁଏ ତେବେ ନବୀନ ପଟ୍ଟନାୟକ ଶତ ପ୍ରତିଶତ ଭୋଟ ପାଇବେ । ଏଭଳି ସ୍ଥିତିରେ ନବୀନଙ୍କୁ ଶାଳୀନତାର ସୀମା ଲଂଘି ଯେଉଁଭଳି ସମାଲୋଚନା କରାଯାଉଛି ତାହାକୁ ସାଧାରଣ ଲୋକେ ଗ୍ରହଣ କରିପାରୁନାହାଁନ୍ତି ।

ସେପଟେ ବିଜେପି ଆଇଟି ସେଲ ପକ୍ଷରୁ ନବୀନଙ୍କ ଫଟୋକୁ ବିକୃତ କରି ପ୍ରସାରଣ କରାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ବିଜେଡିର ସମସ୍ତ ସାତ ଜଣ ସାଂସଦ ଟ୍ବିଟ କରି କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ଆରମ୍ଭ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ୟାଗ କରି କହିଛନ୍ତି ଯେ, ସାଢେ ଚାରି କୋଟି ଓଡିଆଙ୍କ ଜନମାନସର ନେତା ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ବିଜେପି ଓଡିଶା ରାଜ୍ୟ ଶାଖା ହୀନ ମାନସିକତାର ପରିଚୟ ଦେଇଛି । ସଭ୍ୟ ସମାଜରେ ଏହା କେବେ ଗ୍ରହଣୀୟ ନୁହେଁ । ଗତ ନିର୍ବାଚନର ଭୋଟ ହାର ଦେଖିଲେ ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି । ସଂଖ୍ୟା ଗଣିତରେ ବିଜେପି ସରକାରକୁ ଆସିଛି । ସରକାରକୁ ଆସିବା ପରେ ବିଜେପିର ଏହି ଅହଂକାର ସବୁ ମହଲରେ ନନ୍ଦିତ ହୋଇଛି । ଏଭଳି ହୀନକାର୍ଯ୍ୟରୁ କ୍ଷାନ୍ତ ହେବା ପାଇଁ ମଧ୍ୟ ସାଂସଦମାନେ କହିଛନ୍ତି । ସେହିଭଳି ବିଜେଡି ଦଳ ଭିତରେ ମଧ୍ୟ ଘଟଣାକୁ ତିବ୍ର ନିନ୍ଦା କରାଯାଇଛି । ବିଜେଡି ନେତାମାନେ ଟ୍ବିଟ କରି କ୍ଷୋଭ ପ୍ରକାଶ କରିବା ସହ ଏହା ବିଜେପିର ଏକ ହୀନକାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି । ଆଳୁ ସମସ୍ୟା ଚଳିତ ସରକାର ସମାଧାନ କରିବାରେ ବିଫଳ ହୋଇଛି । ନିଜ ବିଫଳତାକୁ ଲୁଚାଇବାକୁ ଯଦି ନବୀନଙ୍କ ଉପରେ ବିଜେପି ଦୋଷ ଲଦିବାକୁ ଚାହୁଁଛି ତାହେଲେ ତାକୁ ସୌଜନ୍ୟ ଢଙ୍ଗରେ କରାଯାଇପାରିଥାନ୍ତା । କିନ୍ତୁ ଦେଶର ଜଣେ ତୁଙ୍ଗ ନେତାଙ୍କ ଫଟୋକୁ ଯେଉଁଭଳି ବିକୃତ କରି କୁହାଯାଇଛି ତାହା ଅସଭ୍ୟତା ଛଡା ଆଉ କିଛି ନୁହେଁ । ବିଜେପିର ଶପଥ ଗ୍ରହଣ ସମାରୋହକୁ ନିଜେ ନବୀନ ଯାଇ ପହଁଚିଥିଲେ । ଏହା ନବୀନଙ୍କ ଉତୁଙ୍ଗ ଉଦାରତାର ନିଦର୍ଶନ ଥିଲା । କିନ୍ତୁ ବିଜେପି ତାର ଅର୍ଥ ବୁଝିପାରିଲା ନାହିଁ ବୋଲି ସାଂସଦମାନେ କହିଛନ୍ତି ।

Latest Posts

Don't Miss